ଜିଲ୍ଲାବାସୀଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବି

You are currently viewing ଜିଲ୍ଲାବାସୀଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବି

ଅନୁଗୁଳ: ଅନୁଗୁଳ ଜିଲ୍ଲାର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ଉତ୍ପାଦିତ ବିଦ୍ୟୁତରେ ସାରା ଦେଶ ଆଲୋକିତ ହେଉଛି । ମାତ୍ର ଦୀପ ତଳ ଅନ୍ଧାର ଭଳି ଅନୁଗୁଳବାସୀଙ୍କୁ ବିଦ୍ୟୁତ୍ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେବାକୁ ପଡୁଛି । ଅନୁଗୁଳର ମାଟି, ପାଣି, ପବନକୁ ବିଷ କରି ବିଦ୍ୟୁତ୍ ଉତ୍ପାଦନ ହେଉଛି । ଜିଲ୍ଲାରେ ଥିବା କୋଇଲା ଖଣି, କୋଇଲା ଭିତ୍ତିକ ତାପଜ ବିଦ୍ୟୁତ୍ କେନ୍ଦ୍ର ଜନିତ ଧୂଳି, ଧୂଆଁ, ପାଉଁଶର ପ୍ରଦୂଷଣ ଏବଂ ଅହେତୁକ ତାପମାତ୍ର ବୃଦ୍ଧି ଯୋଗୁଁ ଜିଲ୍ଲାବାସୀ ହନ୍ତସନ୍ତ ହେଉଛନ୍ତି । ମାତ୍ର ବାରମ୍ବାର ଦାବି ସତ୍ତ୍ୱେ ଜିଲ୍ଲାବାସୀଙ୍କୁ ମାଗଣା ବିଦ୍ୟୁତ୍ ଯୋଗାଇ ଦେବାକୁ ସରକାର ପଛଘୁଞ୍ଚା ଦେଉଛନ୍ତି । ଅନୁଗୁଳ ଜିଲ୍ଲାବାସୀଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଣ ପାଇଁ ‘ଅନୁଗୁଳ ଜିଲ୍ଲା ଜନଜୀବନ ସୁରକ୍ଷା କମିଟି’ ପକ୍ଷରୁ ଦାବି କରାଯାଇଛି। ସୋମବାର ଅପରାହ୍ନରେ ସ୍ଥାନୀୟ ଶିକ୍ଷକପଡ଼ାସ୍ଥା ନବକୃଷ୍ଣ ଚୌଧୁରୀ ସୃତି ପାଠାଗାର ଠାରେ କମିଟିର ଆବାହକ ପ୍ରମୋଦ କୁମାର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ବୈଠକରେ ଅନ୍ୟତମ ଆବାହକ ରବୀନ୍ଦ୍ର ପ୍ରସାଦ ପଟ୍ଟନାୟକ, ଅଭିମନ୍ୟୁ ସ୍ୱାଇଁ, ବ୍ରଜବନ୍ଧୁ ସାହୁ, ନିରୋଦ ଚନ୍ଦ୍ର ପାଳ, ତୀର୍ଥବାସୀ ଭୋଇ, ଅଶୋକ କୁମାର ପ୍ରଧାନ, ମାନସ ପାଳ, ବଳରାମ ବେହେରା, ଜୟସେନ ମେହେର, ନିରୂପମା ପ୍ରଧାନ, କୁମାର ସାହୁ ପ୍ରମୁଖ ଯୋଗଦେଇଥିଲେ । ଅନୁଗୁଳ ଜିଲ୍ଲାର ତାପଜ ବିଦ୍ୟୁତ୍ କେନ୍ଦ୍ରରୁ ବିଦ୍ୟୁତ୍ ଉତ୍ପାଦିତ ହୋଇ ଦେଶର ବିଭିନ୍ନ ରାଜ୍ୟକୁ ଯୋଗାଣ ହେଉଥିବା ବେଳେ ଜିଲ୍ଲାବାସୀଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଣରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଅବହେଳା ଏବଂ ଜନବିରୋଧୀ ନୀତିକୁ ତୀବ୍ର ନିନ୍ଦା କରିଥିଲେ ।ଜିଲ୍ଲାବାସୀଙ୍କୁ ମାଗଣା ବିଦ୍ୟୁତ୍‌ ଯୋଗାଣ ଦାବିରେ ଜିଲ୍ଲାବ୍ୟାପୀ ଆନ୍ଦୋଳନ ଗଢ଼ି ତୋଳିବା ପାଇଁ ବୈଠକରେ ସର୍ବସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଛି ।

Share

Leave a Reply