ଅନୁଗୁଳ: ଅନୁଗୁଳ ସଦର ଥାନା ଇଲାକାରେ ଶନିବାର ରାତିରେ ଡେରେଜାଙ୍ଗ ଡ୍ୟାମ୍ କଡ଼ରେ ରନ୍ତଲେଇ ଗାଁର ଜଗନ୍ନାଥ ସେନାପତିଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଲାଠି, ଲୁହା ଛଡରେ ତାଙ୍କୁ ପିଟିବା ପରେ ତାଙ୍କ ମୁହଁକୁ ଛେଚି ଦେଇଥିଲେ ଅଭିଯୁକ୍ତ ଏଥିନେଇ ଅନୁଗୁଳ ସଦର ଥାନାରେ ଲିଖିତ ଅଭିଯୋଗ ହେବା ପରେ ପୁଲିସ ଏକ ହତ୍ୟା ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ତାଙ୍କୁ ହତ୍ୟା କରିଥିବା ୮ ଜଣଙ୍କୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନଙ୍କ ପାଖରୁ ୪ଟି ଲାଠି ଓ ଗୋଟିଏ ବାଇକ(ଓଡ଼ି-୧୯ କେ-୬୦୪୮) ଜବତ ହୋଇଛି। ସୂଚନା ଅନୁସାରେ, ଜଗନ୍ନାଥ ଡେରେଜାଙ୍ଗ ଡ୍ୟାମରେ ୱାଚର ଭାବେ ୨ ବର୍ଷ ହେଲା କାମ କରୁଥିଲେ। ଦୁଇଦିନ ତଳେ ସେ ମଦ୍ୟପାନ କରି ରନ୍ତଲେଇ ଗାଁ ପୋଡ଼ାଖମଣସାହିର କିଛି ଲୋକଙ୍କୁ ଗାଳିମନ୍ଦ କରିଥିଲେ ।ଏପରିକି ଘରେ ପଶି ମହିଳାମାନଙ୍କୁ ଖରାପ ଭାଷାରେ ଗାଳି ଦେଇଥିବା ଜଣାପଡ଼ିଛି। ତେଣୁ ଜଗନ୍ନାଥଙ୍କ ଉପରେ ଗ୍ରାମର କିଛି ଲୋକ ରାଗ ରଖିଥିଲେ। ଏହାର ପ୍ରତିଶୋଧ ନେବାକୁ ସେମାନେ ସୁଯୋଗ ଖୋଜୁଥିଲେ ଶନିବାର ରାତିରେ ଜଗନ୍ନାଥ ଘରେ ଥିଲାବେଳେ ପୋଡ଼ାଖମଣସାହିର ୨ଜଣ ତାଙ୍କୁ ଭୋଜି କରିବାକୁ ଡାକିଥିଲେ। ତାଙ୍କୁ ଏକ ବାଇକରେ ବସାଇ ଡ୍ୟାମ୍ କଡକୁ ନେଇଥିଲେ। ସେଠାରେ ପୂର୍ବ ଯୋଜନା ଅନୁସାରେ ଅନ୍ୟମାନେ ଉପସ୍ଥିତ ଥିଲେ। ଜଗନ୍ନାଥ ଉପରେ ଥିବା ରାଗ ପାଇଁ ସେମାନେ ମିଳିମଶି ତାଙ୍କ ଉପରେ ଆକ୍ରମଣ କରିଥିଲେ | ଖଣ୍ଡା, ଛୁରି, ଲାଠି, ଲୁହା ରଡରେ ପ୍ରବଳ ପିଟିଥିଲେ। ଜଗନ୍ନାଥ ଆତ୍ମରକ୍ଷା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ଏତେ ଲୋକଙ୍କୁ ପାରି ନ ଥିଲେ। ପ୍ରବଳ ମାଡ଼ରେ ତାଙ୍କ ଦେହରେ ଏକାଧିକ କ୍ଷତ ହେବାରୁ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ମୁଣ୍ଡକୁ ଛେଚି ତାଙ୍କୁ ହତ୍ୟା କରିଥିଲେ। ପୁଲିସ ତଦନ୍ତ ଆରମ୍ଭରୁ ହତ୍ୟାକାଣ୍ଡର ଖିଅ ପାଇଯାଇଥିଲା। ଶେଷରେ ସମସ୍ତ ୮ ଜଣ ଅଭିଯୁକ୍ତକୁ ଗିରଫ କରାଯାଇଛି। ସେମାନେ ହେଲେ ରକ୍ତଲେଇ ଗାଁ ପୋଡ଼ାଖମଣସାହିର ଜିତେନ୍ଦ୍ର ସାହୁ, ସଂଗ୍ରାମ ସାହୁ, ଜିତେନ୍ଦ୍ର ବିଶ୍ବାଳ, ବିଭୂତି ସାହୁ, ମମତା ସାହୁ, ସୁବାସିନୀ ବେହେରା, ବାସନ୍ତୀ ସାହୁ ଓ ରଗୁଡ଼ିସାହିର ତାରିଣୀ ବେହେରା। ସେମାନଙ୍କୁ ରବିବାର କୋର୍ଟ ଚାଲାଣ କରାଯାଇଛି।ଅପରପକ୍ଷରେ ମୃତ ଜଗନ୍ନାଥଙ୍କ ନାମରେ ବିଭିନ୍ନ ଥାନାରେ ଏକାଧିକ ମାମଲା ରହିଛି। କିଛି ମାସ ତଳେ ଏକ ମାମଲାରେ ଅନୁଗୁଳ ସଦର ଥାନା ପୁଲିସ ତାକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ପରେ ସେ ଜାମିନରେ ଆସିଥିଲେ।
ଅସଦ୍ବ୍ୟବହାର ନେଲା ପ୍ରାଣ
- Post published:September 20, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau

Tags: Angul