ବକେୟା ଦରମା ସହ ସୁରକ୍ଷା ଉପକରଣ ଦାବି: ଟାଟା କାର୍ଯ୍ୟାଳୟରେ ତାଲା ପକାଇ ବିଦ୍ୟୁତ ଠିକା କର୍ମଚାରୀଙ୍କ ଧାରଣା

You are currently viewing ବକେୟା ଦରମା ସହ ସୁରକ୍ଷା ଉପକରଣ ଦାବି: ଟାଟା କାର୍ଯ୍ୟାଳୟରେ ତାଲା ପକାଇ ବିଦ୍ୟୁତ ଠିକା କର୍ମଚାରୀଙ୍କ ଧାରଣା

ପାଳଲହଡା: ପାଳଲହଡା ବିଦ୍ୟୁତ ବିଭାଗରେ କାର୍ଯ୍ୟରତ ଠିକା କର୍ମଚାରୀମାନେ ତିନି ମାସ ହେବ ଦରମା ପାଇନଥିବାରୁ ଟାଟା କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି। ଏ ଅବସରରେ ସେମାନେ ତିନି ମାସର ବକେୟା ଦରମା, ସୁରକ୍ଷା ଉପକରଣ ଓ ନିଯୁକ୍ତି ପତ୍ର, ଇପିଏଫ, ଓଇଏସଆଇ ଆଦି ସୁବିଧା ଯୋଗାଇବାକୁ ଦାବି କରି ଟାଟା ବିଦ୍ୟୁତ କାର୍ଯ୍ୟାଳୟରେ ତାଲା ପକାଇ ଧାରଣାରେ ବସିଛନ୍ତି।

ସୂଚନା ଅନୁଯାୟୀ, ଗତ ଜୁନ ମାସ ଶେଷ ପର୍ଯ୍ୟନ୍ତ ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା ବି କେ ଏସ ଏଣ୍ଟରପ୍ରାଇଜେସ ନାମକ ସଂସ୍ଥାର କାର୍ଯ୍ୟକାଳ ସରିଯାଇଥିବା ବେଳେ ଅକ୍ଟୋବର ୧ ରୁ ଭୁବନେଶ୍ୱର ଗଙ୍ଗାନଗର ଅଞ୍ଚଳର ଇମ୍ପୋରିଆ ପ୍ରାଇଭେଟ ଲିମିଟେଡ ସଂସ୍ଥା ଦାୟିତ୍ୱ ନେଇଛି। ପାଳଲହଡା ବିଦ୍ୟୁତ ବିଭାଗରେ ଠିକା କର୍ମଚାରୀ ଭାବରେ ୩୧ ଜଣ ଲାଇନ ମ୍ୟାନ ଓ ହେଲପର ବିକେଏସ ଏଣ୍ଟେରପ୍ରାଇଜେସ ଅଧୀନରୁ ଇମ୍ପୋରିଆ ଅଧୀନକୁ ଆସି କାର୍ଯ୍ୟ କରୁଛନ୍ତି। ପୁରୁଣା ରକ୍ଷଣା ବେକ୍ଷଣ ଦାୟିତ୍ୱରେ ଥିବା ଠିକା ସଂସ୍ଥା ତାର ସୁରକ୍ଷା ଉପକରଣ ଠିକା କର୍ମଚାରୀଙ୍କ ଠାରୁ ଫେରେଇ ନେଇଥିବା ବେଳେ ନୂତନ ଠିକା ସଂସ୍ଥା ଇମ୍ପୋରିଆ ପ୍ରାଇଭେଟ ଲିମିଟେଡ କୌଣସି ସୁରକ୍ଷା ଉପକରଣ ଦେଇ ନଥିବାରୁ କାର୍ଯ୍ୟରତ ଠିକା କର୍ମଚାରୀ ମାନେ ବିନା ସୁରକ୍ଷା ଉପକରଣ ରେ ବିପଦ ପୂର୍ଣ୍ଣ ଭାବରେ କାର୍ଯ୍ୟ କରୁଛନ୍ତି।
ଅନ୍ୟପଟେ ଅକ୍ଟୋବର ୧ ରୁ ନୂଆ ସଂସ୍ଥା ଦାୟିତ୍ୱ ନେବା ପରଠାରୁ ଠିକା କର୍ମଚାରୀଙ୍କୁ ଆଜି ପର୍ଯ୍ୟନ୍ତ ଦରମା ଦେଇନଥିବା ଜଣାପଡିଛି। ଏଣୁ ପାଳଲହଡା ବିଦ୍ୟୁତ ଠିକା କର୍ମଚାରୀ ସଂଘ ସଭାପତି ସଚିନ କୁମାର ବେହେରାଙ୍କ ନେତୃତ୍ୱରେ ସମସ୍ତ ଠିକା କର୍ମଚାରୀମାନେ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିଛନ୍ତି।

ଏ ନେଇ ପାଳଲହଡା ବିଦ୍ୟୁତ ବିଭାଗ ସହକାରୀ ଯନ୍ତ୍ରୀ ଶୈଳେଶ ରଞ୍ଜନ ପଟେଲଙ୍କୁ ପଚାରିବାରୁ ସେ କହିଛନ୍ତି, ମୁଁ ମେଣ୍ଟେନାନ୍ସ ଦାୟିତ୍ୱରେ ଥିବା ଇମ୍ପୋରିଆ ପ୍ରାଇଭେଟ ସଂସ୍ଥାର ଅଧିକାରୀଙ୍କ ସହ ଗତ କାଲି ଯୋଗାଯୋଗ କରିଥିଲି। ସଂସ୍ଥା ପକ୍ଷରୁ ବ୍ୟାଙ୍କର ଅସୁବିଧା ପାଇଁ ଦରମା ଦିଆଯାଇନି। ବୁଧବାର ଅପରାହ୍ନ ଚାରିଟା ଭିତରେ ଦରମା ମିଳିବ ବୋଲି ସେ କହିଥିଲେ। କିନ୍ତୁ ଦରମା ଦେଇ ନଥିବାରୁ ଆଜି ବି ଠିକା କର୍ମଚାରୀ ମାନେ ଧାରଣାରେ ବସିଛନ୍ତି। ଏଣୁ ସେ ଆଜି ପୁଣି ସଂସ୍ଥା ସହିତ ଯୋଗାଯୋଗ କରିବେ ବୋଲି ଶ୍ରୀ ପଟେଲ କହିଛନ୍ତି।

Share

Leave a Reply