ଅନୁଗୁଳ: ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଷ୍ଟାଫ୍ ନର୍ସଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ଆଟେଣ୍ଡାଣ୍ଟ। ଷ୍ଟାଫ୍ ନର୍ସ ଜଣକ ଆଟେଣ୍ଡାଣ୍ଟ ବୈଦେହୀ ବେହେରାଙ୍କୁ ମାଡ଼ ମାରିଥିବା ନେଇ ଅଭିଯୋଗ ହୋଇଛି।
ସୂଚନା ମୁତାବକ, ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଲେବର ରୁମ୍ ବାହାରେ ବୈଦେହୀ ବେହେରାଙ୍କୁ ଷ୍ଟାଫ୍ ନର୍ସ ମାଡ଼ ମାରି ଲହୁଲୁହାଣ କରିଥିଲେ। ଏଥିସହ ଏହି ଘଟଣା ଯଦି କାହାକୁ କହିବୁ କି ମିଡିଆରେ ଜଣାଇବୁ ତେବେ ଚାକିରିରୁ ଛଟେଇ ଦେବାକୁ ମଧ୍ୟ ଧମକ ଦେଇଥିଲେ ଏହି ଷ୍ଟାଫ୍। ଫଳରେ ଭୟରେ ବୈଦେହୀ ଏନେଇ କାହାକୁ କିଛି କହି ନ ଥିଲେ। କିନ୍ତୁ ଏହି ଘଟଣା ଚିକିତ୍ସାଳୟରେ ପ୍ରଚାରିତ ହେବାରୁ ବାଧ୍ୟ ହୋଇ ସେ ନ୍ୟାୟ ପାଇଁ ଗଣମାଧ୍ୟମ ଆଗରେ ଗୁହାରି କରିଛନ୍ତି।
ଏ ଘଟଣା ବିଷୟରେ ସିଡିଏମ୍ଓଙ୍କୁ ପଚାରିବାରୁ କହିଛନ୍ତି, ଏ ଘଟଣା ବିଷୟରେ ମୁଁ ବୁଝୁଛି। ଯିଏ ଦୋଷ କରିଛି ତାକୁ ଦଣ୍ଡ ମିଳିବ। ତେବେ ପୂର୍ବରୁ ବି ଏହି ଷ୍ଟାଫ୍ ନର୍ସଙ୍କ ମନ ମାନିରେ ରୋଗୀ ଏବଂ କର୍ମଚାରୀ ଅତିଷ୍ଠ ହୋଇ ଅଭିଯୋଗ କରିଥିବା ନଜିର ରହିଛି। ଏଣୁ ତାଙ୍କ ଉପରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କର୍ତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି।