ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ବାମୁର ପଞ୍ଚାୟତରେ ନିର୍ମାଣ ହେବାକୁ ଥିବା ସୁରେଶ୍ଵରୀ ଜଳ ସେଚନ ପ୍ରକଳ୍ପ ନିର୍ମାଣ କାର୍ଯ୍ୟରେ ଅହେତୁକ ବିଳମ୍ବ ହେଉଛି। ଏଣୁ ଏହା ଉପରେ ନିର୍ଭର କରୁଥିବା ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଛି। ଏହି ପ୍ରକଳ୍ପ ନିର୍ମାଣ ପାଇଁ ସ୍ଥାନୀୟ ଚାଷୀ ମାନେ ବହୁବାର ଆନ୍ଦୋଳନ କରୁଥିଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଯୋଗୁଁ ପୁଣି ଆନ୍ଦୋଳନ କରିବେ ବୋଲି ଗୁରୁବାର ଦିନ ନିଷ୍ପତ୍ତି ନେଇଛନ୍ତି। ଏ ନେଇ ଚାଷୀ ସଂଗଠନ ଜୀବନ ଜୀବିକା ଓ କୃଷି ଜମି ସୁରକ୍ଷା କମିଟି ପକ୍ଷରୁ ଗୁରୁବାର ଜଏରାଟ ନିକଟରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି।
ଏ ଅବସରରେ ଚାଷୀମାନେ କହିଥିଲେ, ସୁରେଶ୍ଵରୀ ପ୍ରକଳ୍ପ ନିର୍ମାଣ ହେଲେ ୬ଟି ପଞ୍ଚାୟତର ୨୨ ଟି ଗ୍ରାମକୁ ଜଳସେଚନ ହୋଇପାରିବ। ଫଳରେ ଚାଷୀମାନେ ମରୁଡ଼ିରୁ ରକ୍ଷା ପାଇପାରିବେ। ହେଲେ ରାଜ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଏଣୁ କମିଟି ପକ୍ଷରୁ ଖୁବ ଶୀଘ୍ର ଆନ୍ଦୋଳନ କରାଯିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି। କମିଟିର ସଭାପତି ଦୀନବନ୍ଧୁ ପ୍ରଧାନଙ୍କ ସଭାପତିତ୍ଵରେ ଆୟୋଜିତ ବୈଠକରେ ପୂର୍ବତନ ସରପଞ୍ଚ ରମଣୀ ରଞ୍ଜନ ପ୍ରଧାନ, ତୀର୍ଥବାସୀ ଭୋଇ, ରବୀନ୍ଦ୍ର ସାହୁ, ଶ୍ରୀକର ବେହେରା, ଗୌର ଚନ୍ଦ୍ର ପ୍ରଧାନ, ରମେଶ ଲୁହା, ନାରାୟଣ ମେହେର ପ୍ରମୁଖ ଚାଷୀ ମାନେ ଯୋଗ ଦେଇଥିଲେ।











