ଅନୁଗୁଳ: ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଜିଲ୍ଲାସ୍ତରୀୟ ମିଳିତ ଜନ ଶୁଣାଣି ଶିବିର ସୋମବାର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଦାଖଲ ହୋଇଥିବା ସମୁଦାୟ ୭୪ଟି ଅଭିଯୋଗରୁ ୭୧ଟି ବ୍ୟକ୍ତିଗତ ଓ ୩ଟି ସାମୁହିକ ଅଭିଯୋଗର ଶୁଣାଣିକରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦିଆଯାଇଥିଲା।ଜିଲ୍ଲା ରେଡକ୍ରସ ପାଣ୍ଠିରୁ ଚିକିତ୍ସା ନିମନ୍ତେ ଦୁଇ ଜଣଙ୍କୁ ୧୫ ହଜାରଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଗଲା।
ଏଥିସହ ଦାଖଲ ହୋଇଥିବା ସମୁଦାୟ ୭୪ଟିଅଭିଯୋଗ ମଧ୍ୟରୁ ୧୮ଟିର ଆଜିର ଶିବିରରେ ଫଇସଲା କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ କଳାକାର ଭତ୍ତା, ଜମି ବିବାଦ, ବାର୍ଦ୍ଧକ୍ୟ ଭତ୍ତା, ବିଜୁଳି ସମସ୍ୟା, ଶିକ୍ଷାସମ୍ବନ୍ଧୀୟ ସମସ୍ୟା, ଭିନ୍ନକ୍ଷମ ଭତ୍ତା, ରାସନ କାର୍ଡ ଓ ପ୍ରଧାନମନ୍ତ୍ରୀ ଆବାସ ସମେତ ବିଭିନ୍ନ ସମସ୍ୟା ସମ୍ପର୍କରେ ଅଭିଯୋଗପତ୍ର ଦାଖଲ କରିଥିଲେ। ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଆରକ୍ଷୀ ଅଧିକ୍ଷକ ଜଗମୋହନ ମୀନା, ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ସନ୍ତୋଷ କୁମାର ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ରଜନୀକାନ୍ତ ସ୍ବାଇଁ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଅନୁଗୁଳ ଉପଜିଲ୍ଲାପାଳ ବଇତୁରା ଦିପ୍, ଆସିଷ୍ଟାଣ୍ଟ କଲେକ୍ଟର ମଧୁସ୍ମିତା ବିଶି ଓ ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀନିରଞ୍ଜନ ସାହୁଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।