ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ: କ୍ଷୁଦ୍ର ଶସ୍ୟକୁ ନେଇ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ ଆୟୋଜିତ

0

ଅନୁଗୁଳ : ରବିବାର ପୂର୍ବାହ୍ନରେ ସ୍ଥାନୀୟ ବ୍ଲାକ ଡାଇମଣ୍ଡ ସମ୍ମିଳନୀ କକ୍ଷଠାରେ ଜିଲ୍ଲା କୃଷି ବିଭାଗର ଆନୁକୂଲ୍ୟରେ ଶ୍ରୀ ଅନ୍ନ ଅଭିଯାନ ଅର୍ନ୍ତଗତ ଜିଲ୍ଲାସ୍ତରୀୟ ମାଣ୍ଡିଆ ଦିବସ ପାଳିତ ହୋଇଛି। ଢେଙ୍କାନାଳ ସାଂସଦ ରୁଦ୍ର ନାରାୟଣ ପାଣି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏ ଅବସରରେ ସେ କହିଥିଲେ, କେନ୍ଦ୍ର ଓ ରାଜ୍ୟ ସରକାର କୃଷକଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅନେକ ଯୁଗାନ୍ତକାରୀ ପଦକ୍ଷେପ ନେଉଛନ୍ତି। ଭାରତକୁ ବିଶ୍ଵର ଖାଦ୍ୟ ଦାତା ଭାବେ ରୂପାନ୍ତର କରିବା ନିମନ୍ତେ ପ୍ରଧାନମନ୍ତ୍ରୀଙ୍କ ଲକ୍ଷ୍ୟ ରହିଛି ବୋଲି ମୁଖ୍ୟ ଅତିଥି କହିଥିଲେ।

ମୁଖ୍ୟବକ୍ତା ଭାବେ ପାଳଲହଡା ବିଧାୟକ ଅଶୋକ ମହାନ୍ତି ଯୋଗଦେଇ କହିଥିଲେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କ୍ଷୁଦ୍ର ଶସ୍ୟ ( millets) ମୁଖ୍ୟତଃ ମାଣ୍ଡିଆର ବିଶ୍ଵ ଦରବାରରେ ପ୍ରଚାର ପ୍ରସାର କରିବାରେ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଛି। ନିଜ ଖାଦ୍ୟ ବ୍ୟବହାର ପ୍ରଣାଳୀରେ ପ୍ରତ୍ୟେକ ଜନସାଧାରଣ ମାଣ୍ଡିଆକୁ ସାମିଲ କରିବା ଦ୍ୱାରା ସୁସ୍ଥ ଓ ନିରୋଗ ରହିପାରିବେ ମଧ୍ୟ ସେ ବୋଲି କହିଥିଲେ।

ଏ ଅବସରରେ ବିଭିନ୍ନ କ୍ଷୁଦ୍ର ଶସ୍ୟକୁ ନେଇ ପ୍ରସ୍ତୁତ ବିଭିନ୍ନ ପ୍ରକାର ଖାଦ୍ୟର ପ୍ରଦର୍ଶନୀ କରାଯାଇଥିଲା। ପୂର୍ବରୁ ଆୟୋଜିତ ବିଭିନ୍ନ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। କାର୍ଯ୍ୟକ୍ରମରେ ଅନୁଗୁଳ କୃଷି ବିଜ୍ଞାନ କେନ୍ଦ୍ରର ମୁଖ୍ୟ ବୈଜ୍ଞାନିକ ଦେବାଶିଷ ମିଶ୍ର, ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ, ଛେଣ୍ଡିପଦା ବିଧାୟକଙ୍କ ପ୍ରତିନିଧି ଯଶୋବନ୍ତ ବେହେରା, କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ପ୍ରତିନିଧି ଦିଲ୍ଲେଶ୍ୱର୍ ପ୍ରଧାନ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ବବିତା ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ପ୍ରଶାନ୍ତ କୁମାର ମହାନ୍ତିଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ, କୃଷକ, ସ୍ଵୟଂ ସହାୟକ ଗୋଷ୍ଠୀ ସଦସ୍ୟ, ବୁଦ୍ଧିଜୀବୀ ପ୍ରମୁଖ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!