ଓଡ଼ିଶା ରାଜନୀତିର ବେତାଜ ବାଦଶାହ ଡକ୍ଟର ହରେକୃଷ୍ଣ ମହତାବ

0

ଓଡ଼ିଶା ରାଜନୀତିରେ ଅନେକ ନେତା, ରାଜନେତାଙ୍କ ଦବଦବା ରହିଥିଲେ ମଧ୍ୟ ଡକ୍ଟର ହରେକୃଷ୍ଣ ମହତାବ କିନ୍ତୁ ଥିଲେ ସବୁଠୁ ଅଲଗା, ସମସ୍ତଙ୍କଠୁ ନିଆରା। ତାଙ୍କ ଶାସନକାଳରେ ରାଜ୍ୟ ଦେଖିଥିଲା ନୂଆ ସୂର୍ଯ୍ୟୋଦୟ। ଓଡ଼ିଶାର ଚିତ୍ର ବଦଳାଇବାରେ ତାଙ୍କର ଥିଲା ଗୁରୁତ୍ୱପୂର୍ଣ୍ଣ ଭୂମିକା।

୧୮୯୯ ମସିହା ନଭେମ୍ବର ୨୧ରେ ଡକ୍ଟର ହରେକୃଷ୍ଣ ମହତାବଙ୍କ ଜନ୍ମ। କଟକର ରେଭେନ୍ସା କଲେଜରେ ସେ ପାଠ ପଢ଼ିଥିଲେ। ୧୯୧୯ରୁ ୧୯୨୧ ମସିହା ଯାଏ ତିନିବର୍ଷ କାଳ ଓଡିଶା କଂଗ୍ରେସର ଅଗ୍ରଗଣ୍ୟ ପ୍ରତିଷ୍ଠାତାଙ୍କ ମଧ୍ୟରେ ସେଥିଲେ ଅନ୍ୟତମ l ୧୯୨୩ରୁ ୨୪ ଯାଏଁ ସେ ଓଡିଶା ପ୍ରଜା ଆନ୍ଦୋଳନର ନେତୃତ୍ୱ ନେଇ କାରାବରଣ କରିଥିଲେ। ପରେ ୧୯୨୪ରୁ ୨୮ ମଧ୍ୟରେ ସେ ବାଲେଶ୍ୱର ଜିଲ୍ଲା ବୋର୍ଡର ଚେୟାରମ୍ୟାନ ଭାବରେ ନିର୍ବାଚିତ ହୋଇଥିଲେ l ୧୯୨୪ରେ ସେ ତତ୍କାଳୀନ ବିହାର-ଓଡିଶା ପ୍ରଦେଶର ସଭ୍ୟରୂପେ ନିର୍ବାଚିତ ହୋଇଥିଲେ l ୧୯୩୦ରୁ ୩୧ ରେ ବାଲେଶ୍ୱର ଇଞ୍ଚୁଡ଼ିଠାରେ ଲବଣ ସତ୍ୟାଗ୍ରହ ଏବଂ ଆଇନ ଅମାନ୍ୟ ଆନ୍ଦୋଳନକୁ ପରିଚାଳନା କରି ଦୁଇ ଥର କାରାବରଣ କରିଥିଲେ ହରେକୃଷ୍ଣ ମହତାବ।
୧୯୩୬ରେ ନିଖିଳ ଭାରତ କଂଗ୍ରେସ କାର୍ଯ୍ୟକାରୀ କମିଟିର ସଭ୍ୟ ମନୋନୀତ ହୋଇ ୧୯୪୬ ପର୍ଯ୍ୟନ୍ତ ଅବସ୍ଥାପିତ ଥିଲେ। ୧୯୩୭-୩୯ ଯାଏଁ ସେ ଓଡ଼ିଶାର ଦେଶୀୟ ରାଜ୍ୟ ପ୍ରଜା ଆନ୍ଦୋଳନକୁ ପରିଚାଳିତ କରିବା ସହ ଓଡିଶା ଗଡ଼ଜାତ ପ୍ରଜା ଅନୁସନ୍ଧାନ କମିଟିର ଚେୟାରମ୍ୟାନ ହେଲେ। ତା ପରେ ୧୯୪୨ରେ ସେ ଭାରତଛାଡ଼ ଆନ୍ଦୋଳନରେ ସକ୍ରିୟ ଅଂଶ ଗ୍ରହଣକରି ଅହମଦନଗର ଦୁର୍ଗରେ ଭାରତର ତୁଙ୍ଗ କଂଗ୍ରେସ ନେତାମାନଙ୍କ ସହିତ ଅଟକବନ୍ଦୀ ଥିଲେ l ସେଠାରୁ ମୁକ୍ତ ହେବାପରେ ୧୯୪୬ ମସିହା ଏପ୍ରିଲ ମାସରେ ଓଡ଼ିଶା କଂଗ୍ରେସର ମନ୍ତ୍ରିମଣ୍ଡଳରେ ମୁଖ୍ୟମନ୍ତ୍ରୀ ପଦ ଗ୍ରହଣ କରି ୧୯୫୦ ମଇ ମାସ ୧୨ ତାରିଖ ଯାଏ କାର୍ଯ୍ୟ ବହନ କରିଥିଲେ l ଏହି ସମୟରେ ତତ୍କାଳୀନ ଓଡିଶା ପ୍ରଦେଶ ସହିତ ଦେଶୀୟ ରାଜ୍ୟଗୁଡ଼ିକର ମିଶ୍ରଣ ଥିଲା ତାଙ୍କର ଐତିହାସିକ ଅବଦାନ l

ତାଙ୍କ ମୁଖ୍ୟମନ୍ତ୍ରୀତ୍ବ ସମୟରେ ହୀରାକୁଦ ବହୁମୁଖୀ ନଦୀବନ୍ଧ ଯୋଜନାର ଶୁଭ ପ୍ରଦାନ ଓ ଭୁବନେଶ୍ୱରଠାରେ ରାଜଧାନୀ ନିର୍ମାଣ ଆଦି ଉଲ୍ଲେଖନୀୟ ଘଟଣା। ଏହି ସମୟରେ ସେ ଇଂଲଣ୍ଡ, ଆମେରିକା, ଜାପାନ ଆଦି ଅନେକ ରାଷ୍ଟ୍ର ଭ୍ରମଣରେ ଯାଇଥିଲେ। ୧୯୫୫ ମସିହା ମାର୍ଚ୍ଚ ମାସଠାରୁ ୧୯୫୬ ଅକ୍ଟୋବର ମାସ ଯାଏ ସେ ଥିଲେ ବମ୍ବେ ପ୍ରଦେଶର ରାଜ୍ୟପାଳ। ତାପରେ ସେ ନବକୃଷ୍ଣ ଚୌଧୁରୀଙ୍କ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଆସନରେ ଅଧିଷ୍ଠିତ ହେଲେ। ସେ କେବଳ ଜଣେ ରାଜନୈତିକ ବା କୂଟନୀତିଜ୍ଞ ନୁହନ୍ତି, ସେ ଜଣେ ମହାନ ସଂସ୍କୃତି ସମ୍ପନ୍ନ ବ୍ୟକ୍ତି।

‘ଓଡିଶା ଇତିହାସ’ ପୁସ୍ତକ ରଚନା କରିବା ସହ ଓଡ଼ିଆ ଓ ଇଂରାଜୀ ଭାଷାରେ ସେ ବହୁ ଉଚ୍ଚକୋଟୀର ରାଜନୀତିକ ସମସ୍ୟାମୂଳକ ପୁସ୍ତକ ଲେଖିଛନ୍ତି। ଓଡ଼ିଆ ଭାଷାରେ ଅନେକ ଗଳ୍ପ, ଉପନ୍ୟାସ ଓ ନାଟକ ମଧ୍ୟ ସେ ରଚନା କରିଛନ୍ତି l ସାହିତ୍ୟ କୃତି ପାଇଁ ୧୯୫୦ ମସିହାରେ ଆନ୍ଧ୍ର ବିଶ୍ୱବିଦ୍ୟାଳୟ ଓ ୧୯୫୫ ମସିହାରେ ଉତ୍କଳ ବିଶ୍ୱବିଦ୍ୟାଳୟ ଡକ୍ଟର ମହତାବଙ୍କୁ ସମ୍ମାନସୂଚକ ଡକ୍ଟରେଟ ଉପାଧିରେ ଭୂଷିତ କରିଛନ୍ତି।

Leave A Reply

Your email address will not be published.

error: Content is protected !!