ଓଲଟି ପଡ଼ି ଜଳିଗଲା ପିଚୁ ବୋଝେଇ ଟ୍ୟାଙ୍କର, ଜଳିଗଲେ ଚାଳକ

You are currently viewing ଓଲଟି ପଡ଼ି ଜଳିଗଲା ପିଚୁ ବୋଝେଇ ଟ୍ୟାଙ୍କର, ଜଳିଗଲେ ଚାଳକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଖମାର ଥାନା ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଲିପଶି ଛକ ନିକଟରେ ଏକ ପିଚୁ ବୋଝେଇ ଟ୍ୟାଙ୍କର ଭାରସାମ୍ୟ ହରାଇ ଓଲଟି ପଡ଼ିବା ଫଳରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଏହି ଦୁର୍ଘଟଣାରେ ଗାଡ଼ି ଭିତରେ ଫସି ରହିଥିବା ଚାଳକଙ୍କ ଜୀବନ୍ତ ଦଗ୍ଧ ହୋଇ ମୃତ୍ୟୁ ଘଟିଥିବା ଜଣାପଡ଼ିଛି।

ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତି ପ୍ରାୟ ୩ଟା ସମୟରେ ଟ୍ୟାଙ୍କରଟି ତାଳଚେର ପଟୁ ପାଳଲହଡା ଅଭିମୁଖେ ଯାଉଥିବା ବେଳେ ବାଲିପଶି ଛକ ନିକଟରେ ନିୟନ୍ତ୍ରଣ ହରାଇ ଓଲଟି ପଡ଼ିଥିଲା। ଦୁର୍ଘଟଣା ପରେ ତୁରନ୍ତ ଗାଡ଼ିରେ ସର୍ଟ ସର୍କିଟ୍ ହୋଇ ନିଆଁ ଲାଗିଯାଇଥିଲା। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ ଚାଳକ ଜଣକ ଗାଡ଼ିରୁ ବାହାରିବାକୁ ସୁଯୋଗ ପାଇନଥିଲେ ଏବଂ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା।

ଖବର ପାଇ ଖମାର ପୋଲିସ ଏବଂ ପାଳଲହଡା ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଅଗ୍ନିଶମ କର୍ମଚାରୀମାନେ ଗାଡ଼ି ଭିତରୁ ଚାଳକଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପାଳଲହଡା ଉପଖଣ୍ଡ ଚିକିତ୍ସାଳୟକୁ ପଠାଇଛନ୍ତି। ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ଚାଳକଙ୍କ ପରିଚୟ ମିଳିନଥିବା ବେଳେ ପୋଲିସ ଘଟଣାର ଅଧିକ ତଦନ୍ତ ଜାରି ରଖିଛି।

Share

Leave a Reply