ଅନୁଗୁଳ: ତାଳଚେର ନୂଆ ବଲଣ୍ଡା ଠାରେ ଜାତୀୟ ରାଜପଥ ଓ ଏନଟିପିସି ରାସ୍ତାର ନିର୍ମାଣ ଓ ମରାମତି ଦାବିରେ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚାଲିଥିବା ଶାନ୍ତିପୂର୍ଣ୍ଣ ଅର୍ଥନୈତିକ ଅବରୋଧ ଆନ୍ଦୋଳନ ୧୩ ଦିନରେ ପହଞ୍ଚିଛି। ପୂର୍ବତନ ସାଂସଦ ମହେଶ ସାହୁଙ୍କ ନେତୃତ୍ୱରେ ଆରମ୍ଭ ଏହି ଆନ୍ଦୋଳନରେ ଗୋଡ଼ିବନ୍ଧଠାରୁ ବଅଁରପାଳ ପର୍ଯ୍ୟନ୍ତ ଚାରିଥାକିଆ ରାସ୍ତା ନିର୍ମାଣ, ଗୋଡ଼ିବନ୍ଧଠାରୁ ଏନଟିପିସି ପର୍ଯ୍ୟନ୍ତ ରାସ୍ତାର ତୁରନ୍ତ ମରାମତି ଓ ଜାତୀୟ ରାଜପଥକୁ ହସ୍ତାନ୍ତର ଦାବି କରାଯାଉଛି।
ପ୍ରଶାସନ, ଜାତୀୟ ରାଜପଥ କର୍ତ୍ତୃପକ୍ଷ, ଏନଟିପିସି ଓ ଜେଆଇଟିପିଏଲ କମ୍ପାନୀ ପକ୍ଷରୁ କୌଣସି ସମାଧାନ ପାଇଁ ପଦକ୍ଷେପ ନ ନିଆଯିବାରୁ ଆନ୍ଦୋଳନକାରୀମାନେ ଗୁରୁବାରଠାରୁ ଆନ୍ଦୋଳନକୁ ଜୋରଦାର କରିଛନ୍ତି। ପୂର୍ବରୁ ଦୁଇ ଘଣ୍ଟାର ଅବରୋଧକୁ ୧୦ ଘଣ୍ଟା (ସକାଳ ୮ଟାରୁ ସନ୍ଧ୍ୟା ୬ଟା) ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ଫଳରେ ଏନଟିପିସି ଓ ଜିନ୍ଦଳର କୋଇଲା ପାଉଁଶ ଗାଡ଼ି ଚଳାଚଳ ବନ୍ଦ ରହିଛି।
ହରିହରପୁର ପଞ୍ଚାୟତ ସଭାପତି ସୌଭାଗ୍ୟ ପ୍ରଧାନ କହିଛନ୍ତି, ପ୍ରଶାସନ ଓ କମ୍ପାନୀଗୁଡ଼ିକର ଉଦାସୀନତା ଯୋଗୁଁ ଆନ୍ଦୋଳନକୁ ଆହୁରି ତୀବ୍ର କରାଯିବ। ସାହୁ ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ଦାବି ପୂରଣ ନ ହେଲେ ଆନ୍ଦୋଳନ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜାରି ରହିବ। ଏହି ଆନ୍ଦୋଳନରେ ବାବୁଲା ଶତପଥି, ସୁରେଶ ନନ୍ଦ, ଗନ୍ଧର୍ବ ପ୍ରଧାନ, କାଳିଆ ସାହୁ ପ୍ରମୁଖ ସାମିଲ ରହିଛନ୍ତି।
ସ୍ଥାନୀୟ ଜନପ୍ରତିନିଧି ଓ ରାଜନୈତିକ ଦଳମାନଙ୍କର ନୀରବତା ସାଧାରଣରେ ଅସନ୍ତୋଷ ସୃଷ୍ଟି କରିଛି। ଆନ୍ଦୋଳନକାରୀମାନେ ଦାବି କରିଛନ୍ତି ଯେ, ତୁରନ୍ତ ରାସ୍ତା ମରାମତି ଓ ନିର୍ମାଣ କାର୍ଯ୍ୟ ଆରମ୍ଭ ନ ହେଲେ ଆଗକୁ ଆନ୍ଦୋଳନ ଆହୁରି ଜୋରଦାର ହେବ।