ଅନୁଗୁଳ: ଆଜିଠାରୁ ଅନୁଗୁଳ ବଜାରରେ ଖାଇବା ତେଲ ବିଶେଷକରି ରିଫାଇନ ତେଲ କଳା ବଜାର ଆରମ୍ଭ ହୋଇଛି। ବଡ଼ ବଡ଼ ସପିଙ୍ଗ ମଲ ଠାରୁ ଖୁଚୁରା ଦୋକାନରେ ତେଲର ଦର ଆକାଶଛୁଆଁ ହୋଇଛି। ସୂର୍ଯ୍ୟମୁଖୀ ତେଲ ଦେଢ଼ ଶହ ଯାଗାରେ ୧୭୦ ଟଙ୍କା ବିକା ଯାଉଛି। ଅନୁଗୁଳର ମସଜିଦ ଛକ ଓ ଗାନ୍ଧୀ ମାର୍ଗ ଅଞ୍ଚଳରେ ଥିବା ହୋଲସେଲର ମାନେ ଏହି ତେଲ କଳାବଜାର କରୁଥିବା ଅଭିଯୋଗ ହେଇଛି।ତେଲ ବେପାରୀଙ୍କ ଏଜେଣ୍ଟ ମାନେ ଖୁଚୁରା ଦୋକାନକୁ ଯାଇ ଆଉ ମାଲ ନାହିଁ, ପେଟି ବିକ ନାହିଁ, ମାଲ ଆସୁନାହିଁ କହି ଅର୍ଡର କ୍ୟାନ୍ସେଲ କରିଥିବା ଖବର ହସ୍ତଗତ ହୋଇଛି।
ସହର ଭିତରେ ଥିବା ଗୁପ୍ତ ଗୋଦାମ ଓ ସହର ବାହାରେ ଥିବା ଗୋଦାମ ରେ ମାଲ ରଖି କୃତ୍ରିମ ଅଭାବ ସୃଷ୍ଟି କରି ଆତଙ୍କ ସୃଷ୍ଟିଁ କରିବାକୁ ଉଦ୍ୟମ କରୁଥିବା ଅଭିଯୋଗ ହେଉଛି। ଗ୍ୟାସ ଦର ବଢ଼ିବା ପରେ ତେଲର ଏଭଳି କଳାବଜାର ଲୋକଙ୍କୁ ବେଶ କ୍ଷୁବ୍ଧ କରୁଛି। ଜିଲ୍ଲା ଯୋଗାଣ ବିଭାଗ ତୁରନ୍ତ ଚଢାଉ କରି ତେଲର ସୁଷମ ବଣ୍ଟନ କରିବାକୁ ଦାବି ହେଉଛି ନଚେତ ପରିସ୍ଥିତି ଅସମ୍ଭାଳ ହେବା ସହ ସରକାର ଅଯଥା ନିନ୍ଦିତ ହେବାର ସମ୍ଭାବନା ରହିଛି।


