ଭୁବନେଶ୍ୱର: ଆଜିଠାରୁ ରାଜ୍ୟରେ ଆରମ୍ଭ ହୋଇଛି ହାତୀ ଗଣନା। ଏଥିପାଇଁ ଜଙ୍ଗଲ ବିଭାଗର ପ୍ରସ୍ତୁତି ଶେଷ ହୋଇଛି । ଏହି ଗଣନା ୩ ଦିନ ଧରି ୨୪ ତାରିଖ ପର୍ଯ୍ୟନ୍ତ ଚାଲିବ। ହାତୀ ଗଣନା ପାଇଁ ଏକ ଟିମ୍ ନିୟୋଜିତ ହୋଇଛନ୍ତି। ସେମାନଙ୍କ ପାଇଁ ଜଙ୍ଗଲ ମଧ୍ୟରେ ବିଭିନ୍ନ ସ୍ଥାନରେ ଥିବା ବଡ଼ ବଡ଼ ଗଛ ଉପରେ ମଞ୍ଚା ପ୍ରସ୍ତୁତ କରାଯାଇଛି। ରାଜ୍ୟର ୫୧ଟି ଡିଭିଜନ ମଧ୍ୟରୁ ୪୬ଟି ଡିଭିଜନରେ ହାତୀ ଚଳପ୍ରଚଳ ରହିଛି। ତେଣୁ ଉଭୟ ଦିନ ଓ ରାତି ହାତୀ ଗଣନା କରାଯିବ।
ମାଲକାନଗିରି, କୋରାପୁଟ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ପ୍ରମୁଖ ୫ଟି ଜିଲ୍ଲାରେ ହାତୀଙ୍କ ଚଳପ୍ରଚଳ ନାହିଁ। ଏହି ଜିଲ୍ଲୀ ବ୍ୟତୀତ ଅନ୍ୟ ସମସ୍ତ ୨୫ଟି ଜିଲ୍ଲାରେ ହାତୀର ଉପସ୍ଥିତି ରହିଛନ୍ତି। ୪୬ଟି ଡିଭିଜନର ଜଙ୍ଗଲମାନଙ୍କରେ ୧୧୩୬ଟି ମଞ୍ଚା ପ୍ରସ୍ତୁତ ହୋଇଛି। ଏହା ବାଦ୍ ଜଙ୍ଗଲମାନଙ୍କରେ ଥିବା ୱାଚ୍ ଟାୱାରରେ ବସି ଗଣନା କରାଯିବ। ଏଥିପାଇଁ ବନ କର୍ମଚାରୀଙ୍କୁ ଦିନିକିଆ ପ୍ରଶିକ୍ଷଣ ଦିଆଯାଇଛି।
ଆଜି ସକାଳ ୬ଟାରୁ ହାତୀ ଗଣନା ଆରମ୍ଭ ହୋଇଛି। ଗଣନାରେ ପ୍ରଥମ ଥର ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ପିସିସିଏଫ୍ ସୁଶାନ୍ତ ନନ୍ଦ କହିଛନ୍ତି। ରାଜ୍ୟରେ ପ୍ରତି ୨ ବର୍ଷରେ ଥରେ ହାତୀ ଗଣନା ହୁଏ। କିନ୍ତୁ ଗତ ୭ ବର୍ଷ ହେଲା ହାତୀ ଗଣନା ହୋଇ ନଥିଲା। ଶେଷଥର ଲାଗି ୨୦୧୭ରେ ରାଜ୍ୟରେ ହାତୀ ଗଣନା ହୋଇଥିଲା। ସେତେବେଳେ ରାଜ୍ୟରେ ସମୁଦାୟ ହାତୀ ସଂଖ୍ୟା ୧୯୭୬ ଥିଲା।