ତାଳଚେର: ଅନୁଗୁଳ ଜିଲ୍ଲା ତାଳଚେର ପୌରପରିଷଦ ୧ ନମ୍ବର ୱାର୍ଡ ବୀରବରପଲ୍ଲୀ ଅଞ୍ଚଳରେ ସରକାରୀ ଜମି ଉପରେ ଗଢ଼ି ଉଠିଥିବା ବେଆଇନ୍ ଅଟାଳିକା ଗୁଡ଼ିକୁ ପ୍ରଶାସନ ପକ୍ଷରୁ ଶନିବାର ଉଚ୍ଛେଦ କରାଯାଇଛି। ସ୍ଥାନୀୟ ପ୍ରଶାସନ ପକ୍ଷରୁ ଜୁନ୍ ୩ ତାରିଖ ସୁଦ୍ଧା ସେହି ଅଞ୍ଚଳ ଖାଲି କରିବାକୁ ଡାକବାଜି ଯନ୍ତ୍ର ସାହାଯ୍ୟରେ ସୂଚନା ଦିଆଯାଇଥିଲା। ଜବରଦଖଲକାରୀ ତରବରିଆ ଭାବେ ନିଜର ଆସବାବପତ୍ର ସହ ଅନ୍ୟାନ୍ୟ ଜିନିଷ ନେଇ ଯାଇଥିଲେ। ସୂଚନା ଯେ, ଦ୍ଵିତୀୟ ବ୍ରାହ୍ମଣୀ ବ୍ରିଜ୍ ସହିତ ସଂଯୋଗ ରାସ୍ତା ନିମନ୍ତେ ବୀରବରପଲ୍ଲୀର ଏହି ଜାଗାର ଆବଶ୍ୟକତା ରହିଛି। ଏଠାରେ ଥିବା ସରକାରୀ ଜାଗାରେ ଦୀର୍ଘ ବର୍ଷ ଧରି ୧୬ଟି ପରିବାର ବଡ଼ବଡ଼ ଅଟ୍ଟାଳିକା ନିର୍ମାଣ କରି ବସବାସ କରୁଥିଲା ବେଳେ ଶନିବାର ବୁଲଡୋଜର ଲଗାଇ ଧୂଳିସାତ୍ କରିଦିଆଯାଇଥିଲା। ଆଇନ୍ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ମାଜିଷ୍ଟ୍ରେଟ୍ଙ୍କ ଉପସ୍ଥିତିରେ ବ୍ୟାପକ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ତାଳଚେର ସହରର ଦ୍ବିତୀୟ ବ୍ରାହ୍ମଣୀ ବ୍ରିଜ ପାଇଁ ପ୍ରଶାସନ ପକ୍ଷରୁ ବାଙ୍କଧରା ଠାରୁ ବୀରବରପଲ୍ଲୀ ମଧ୍ୟ ଦେଇ ଷ୍ଟାଡ଼ିୟମ ନିକଟସ୍ଥ ମାଙ୍କଡ଼କେନ୍ଦା ପର୍ଯ୍ୟନ୍ତ ନୂତନ ରାସ୍ତା ନିର୍ମାଣ କରାଯିବାକୁ ଯୋଜନା ରହିଛି। ଦ୍ଵିତୀୟ ବ୍ରାହ୍ମଣୀ ବ୍ରିଜ୍ ପାଇଁ ନିକଟରେ ୧୧୨ କୋଟି ଟଙ୍କା ମଞ୍ଜୁର ହୋଇଛି । ବ୍ରିଜ୍ ନିର୍ମାଣ ହେଲେ ଭାରୀଯାନ ସିଧାସଳଖ ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ବ୍ଲକ ଅନ୍ତର୍ଗତ ପିତିରି ଛକ ନିକଟରେ ବାହାରି ଗନ୍ତବ୍ୟ ସ୍ଥଳକୁ ଯିବେ ବୋଲି ଜଣାପଡ଼ିଛି। ଏଥିସହ ଢେଙ୍କାନାଳ, କେନ୍ଦୁଝର, ଦେବଗଡ଼ ଓ ପାଲଲହଡ଼ାକୁ ତାଳଚେରରୁ ଦୂରତା ହ୍ରାସ ପାଇବ। କେବଳ ଏହି ରାସ୍ତା ନୁହେଁ, ତାଳଚେର ସହରର ବିଭିନ୍ନ ସ୍ଥାନରେ ସରକାରୀ ଜାଗା ଜବରଦଖଲକାରୀଙ୍କ କବ୍ଜାରୁ ମୁକ୍ତ କରାଯିବ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି ।
ମାଟିରେ ମିଶିଲା ୧୬ କୋଠା
- Post published:June 5, 2022
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
