ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଠାରେ ତିଆରି ହୋଇଥିବା ପବିତ୍ର ମୋହନ ମେଡିକାଲ କଲେଜ ପ୍ରତିଷ୍ଠା ପ୍ରସଙ୍ଗ ଧୀରେ ଧୀରେ ରାଜନୀତି ଆଡ଼କୁ ଗତି କରୁଛି। ପୂର୍ବ ସରକାର ଅମଳରେ ନିର୍ମିତ ଏହି ମେଡିକାଲକୁ କାର୍ଯ୍ୟକ୍ଷମ କରିବା ଦିଗରେ କୌଣସି ନେତା କି ଅଧିକାରୀ ମନ ଦେଉନାହାନ୍ତି। ଏଣୁ ଏହା ଚାଲୁ ହେବ କି ନାହିଁ ସେ ନେଇ ଦ୍ୱନ୍ଦ୍ୱ ଦେଖାଦେଇଛି। ତେବେ ଏନେଇ ପୁଣି ଦୃଷ୍ଟି ଆକର୍ଷଣ କରିଛନ୍ତି ଢେଙ୍କାନାଳର ପୂର୍ବତନ ସାଂସଦ ମହେଶ ସାହୁ।
ଗତ ଦୁଇ ଦିନ ତଳେ ତାଳଚେରର କେତୋଟି ମୁଖ୍ୟ ଦାବି ନେଇ ତାଳଚେର ସଚେତନ ନାଗରିକ ମଞ୍ଚ ଜରିଆରେ ସେ ସଜବାଜ ହେଉଥିବା ସୂଚନା ମିଳିଛି। ଏହି ଦାବି ତାଲିକାରେ ତାଳଚେର ମେଡିକାଲ କଲେଜ ପ୍ରତିଷ୍ଠା ବି ରହିଛି। ଏହି ପରିପ୍ରେକ୍ଷୀରେ ଆସନ୍ତା ମାର୍ଚ୍ଚ ମାସ ୩ ତାରିଖରେ ତାଳଚେର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ସହିଦ ସ୍ମୃତି ସ୍ତମ୍ଭ ନିକଟରେ ଦୁଇ ଘଣ୍ଟିଆର ଧାରଣା ଦେବାକୁ ତାଳଚେର ସଚେତନ ନାଗରିକ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି। ଏଥିପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଦାୟୀ ରହିବେ ବୋଲି ପୂର୍ବତନ ସାଂସଦ ଶ୍ରୀ ସାହୁ ସୂଚନା ଦେଇଛନ୍ତି।