ବଟି ନ ଦେବାରୁ ଉଗ୍ର ହେଲା ଝଗଡ଼ା, ଯୁବକଙ୍କୁ ଛୁରୀ ଭୁସି ହତ୍ୟା

0

ଅନୁଗୁଳ: କର୍ମା ପୂଜା ବେଳେ ଅଘଟଣ। ଟଙ୍କା ନ ଦେବାରୁ ପୂଜା ଦେଖି ଆସିଥିବା ପାଖ ଗାଁ ଲୋକଙ୍କୁ ହତ୍ୟା। ମୃତକ ହେଲେ କିଶୋର ନଗର ଅଞ୍ଚଳର ବାରଷା ମିର୍ଦ୍ଧା (୨୫)।

ସୂଚନା ମୁତାବକ, ଶନିବାର କିଶୋର ନଗର ଅଞ୍ଚଳର ବାରଷା ଓ ତାଙ୍କ ମଉସା ଅନୁଗୁଳ ଅଞ୍ଚଳର ବାପୁନ ବେହେରା ଆଠମଲ୍ଲିକ ସହରକୁ କର୍ମା ପୂଜା ଦେଖିବାକୁ ଆସିଥିଲେ। ଉଭୟେ ଆଠମଲ୍ଲିକ ଗାନ୍ଧୀ ଛକ ନିକଟରେ ଥିବା ବିଦେଶୀ ମଦ ଦୋକାନ ପାଖେ ଅଟକିଥିଲେ। ବାପୁନଙ୍କ କହିବାନୁଯାୟୀ, ସେ ତାଙ୍କ ପୁତୁରା ବାରଷାକୁ ମଦ କିଣିବାକୁ ଟଙ୍କା ଦେଇ ନିକଟସ୍ଥ ଏକ ଚଖଣା ଦୋକାନରେ ବସିଥିଲେ। ସେଠାରେ ପୂର୍ବରୁ ଉପସ୍ଥିତ ଥିବା କିଛି ଯୁବକ ତାକୁ ବାଟି ଆକାରରେ ଟଙ୍କା ମାଗିଥିଲେ। କିନ୍ତୁ ସେମାନେ ମନା କରିବାରୁ ଉଭୟଙ୍କ ମଧ୍ୟରେ ଝଗଡ଼ା ଓ ପରେ ମାରପିଟ ହୋଇଥିଲା। ଏହା ଦେଖି ବାରଷା ଆସି ଅଟକାଇବା ବେଳେ ଝଗଡ଼ା ଉଗ୍ର ରୂପ ନେଇଥିଲା। ଏହି ସମୟରେ ଅପରପକ୍ଷର ଜଣେ ଯୁବକ ପାଖରେ ରଖିଥିବା ଛୁରୀ ଆଣି ବାରଷାଙ୍କ ପେଟରେ ଭୁସି ଦେଇଥିଲେ। ପ୍ରାଣ ବିକଳରେ ସେ ଦୌଡ଼ି ପଳାଉଥିବା ବେଳେ ଆଉ ଜଣେ ଯୁବକ ଏକ ଖାଲି ମଦ ବୋତଲ ତାଙ୍କ ମୁଣ୍ଡରେ ପିଟି ଦେଇଥିଲେ। ଫଳରେ ବାରଷା ତଳେ ପଡ଼ିଯାଇଥିଲେ। ଏହା ଦେଖି ଅପରପକ୍ଷ ଲୋକ ଘଟଣାସ୍ଥଳରୁ ପଳାଇଥିଲେ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ବାରଷାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲେ ମଧ୍ୟ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ଖବର ପାଇ ଆଠମଲ୍ଲିକ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ ସାମାନ୍ୟ ଝଗଡ଼ା ପାଇଁ ଜଣଙ୍କ ଜୀବନ ଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

Leave A Reply

Your email address will not be published.

error: Content is protected !!