ଅନୁଗୁଳ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୫ ନିର୍ବାଚନମଣ୍ଡଳୀର ଅଛନ୍ତି ୯ ଲକ୍ଷ ୬୩ ହଜାର ୫୧୮ଜଣ ଭୋଟର

You are currently viewing ଅନୁଗୁଳ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶିତ: ୫ ନିର୍ବାଚନମଣ୍ଡଳୀର ଅଛନ୍ତି ୯ ଲକ୍ଷ ୬୩ ହଜାର ୫୧୮ଜଣ ଭୋଟର

ଅନୁଗୁଳ: ପ୍ରକାଶ ପାଇଲା ଅନୁଗୁଳ ଜିଲ୍ଲାର ଚୂଡ଼ାନ୍ତ ଭୋଟର ତାଲିକା। ଆଜି ପୂର୍ବାହ୍ନରେ ଜିଲ୍ଲା କାର୍ଯ୍ୟାଳୟ କୋର୍ଟ ରୁମ ଠାରେ ହୋଇଥିବା ଏକ ସ୍ବତନ୍ତ୍ର ବୈଠକରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଏହି ତାଲିକା ଜାରି କରିଛନ୍ତି। ତାଲିକା ମୁତାବକ, ଅନୁଗୁଳର ୫ଟି ବିଧାନସଭା ନିର୍ବାଚନମଣ୍ଡଳୀ ଅଧୀନସ୍ଥ ୧୧୬୨ଟି ବୁଥରେ ମୋଟ ୯ ଲକ୍ଷ ୬୩ ହଜାର ୫୧୮ଜଣ ଭୋଟର ଅଛନ୍ତି। ସେଥିରୁ ୪ ଲକ୍ଷ ୯୫ ହଜାର ୮୦୯ ଜଣ ପୁରୁଷ, ୪ ଲକ୍ଷ ୬୭ ହଜାର ୫୭୭ ଜଣ ମହିଳା ଓ ୧୩୨ ଜଣ ତୃତୀୟ ଲିଙ୍ଗୀ ଭୋଟର ପଞ୍ଜିକୃତ ହୋଇଥିବା ବେଳେ ଦିବ୍ୟାଙ୍ଗ ଭୋଟରଙ୍କ ସଂଖ୍ୟା ରହିଛି ୧୧୬୨।

ଗତ ବର୍ଷ ଅକ୍ଟୋବର ୨୭ ତାରିଖରୁ ଆରମ୍ଭ ହୋଇଥିବା ସ୍ବତନ୍ତ୍ର ଭୋଟର ତାଲିକା ସଂଶୋଧନ କାର୍ଯ୍ୟକ୍ରମ ପରେ ଏହି ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ ପାଇଛି। ଏହି ସ୍ବତନ୍ତ୍ର ସଂଶୋଧନ କାର୍ଯ୍ୟକ୍ରମରେ ପୂର୍ବରୁ ଥିବା ୯ ଲକ୍ଷ ୨୯ ହଜାର ୭୭୮ ଜଣ ଭୋଟରଙ୍କ ମଧ୍ୟରୁ ୧୨ ହଜାର ୨୫୭ ଜଣ ବାଦ୍ ପଡିଥିବା ବେଳେ ୪୫ ହଜାର ୯୯୭ ଜଣ ରେକର୍ଡ ସଂଖ୍ୟକ ଭୋଟର ଭାବେ ଯୋଡି ହୋଇଛନ୍ତି। ସେଥିମଧ୍ୟରୁ ୧୮ ରୁ ୧୯ ବର୍ଷ ବୟସର ନୂତନ ଭୋଟର ହେଉଛନ୍ତି ୨୬ ହଜାର ୧୯୫ ଜଣ। ସେହିପରି ପୁରୁଷ ଓ ମହିଳା ଭୋଟରଙ୍କ ଅନୁପାତ ୯୨୫ ରୁ ବଢି ୯୪୩ ହୋଇଛି ବୋଲି ନିର୍ବାଚନ ଉପ-ବିଭାଗ ସୂଚନା ଦେଇଛି।

ବୈଠକରେ ଅତିରିକ୍ତ ଜିଲ୍ଲାପାଳ ଉଦୟ କୁମାର ମହାପାତ୍ର, ଅନୁଗୁଳ ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଡେପୁଟି କଲେକ୍ଟର( ନିର୍ବାଚନ) ମମତା ପ୍ରଧାନ, ସହକାରୀ ଜିଲ୍ଲାପାଳ ସୁକାନ୍ତ କୁମାର ସାହୁଙ୍କ ସମେତ ବିଜୁ ଜନତା ଦଳର ସଦାନନ୍ଦ ପଣ୍ଡା ଓ ବୃନ୍ଦାବନ ସ୍ୱାଇଁ, ଭାରତୀୟ ଜନତା ପାର୍ଟିର ପଞ୍ଜନ କୁମାର ମାଣ୍ଡୋଠିଆ, ଗଙ୍ଗାଧର ପଟ୍ଟନାୟକ ଓ ଅରୁଣ କୁମାର ବିଶ୍ବାଳ, କଂଗ୍ରେସର ଚିତ୍ତରଞ୍ଜନ ନାଏକ ଏବଂ ବହୁଜନ ସମାଜପାର୍ଟର ସତ୍ୟବାନ ଦାସ ପ୍ରମୁଖ ଯୋଗ ଦେଇଥିଲେ ।

Share

Leave a Reply