ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ଭରତପୁର କୋଇଲା ଖଣିର ବଉଳପୁରସ୍ଥିତ ଏମସିଏଲର ସାଇଲୋରେ ଅଗ୍ନିକାଣ୍ଡ ଘଟି କୋଟିଏରୁ ଊର୍ଦ୍ଧ୍ବ ଟଙ୍କାର ଯନ୍ତ୍ରପାତି ପୋଡ଼ିଯାଇଛି। ସର୍ଟସର୍କିଟରୁ ସାଇଲୋ ବେଲ୍ଟରେ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।
ଆଜି ସାଇଲୋରେ ଲାଗିଥିବା ବେଲ୍ଟ ଯୋଗେ କୋଇଲା ପରିବହନ ହେଉଥିବା ବେଳେ ହଠାତ ବେଲ୍ଟରେ ନିଆଁ ଲାଗିଥିବା କିଛି କର୍ମଚାରୀ ଦେଖିଥିଲେ। ପାଖାପାଖି ୫୦ ରୁ ୬୦ ମିଟର ବେଲ୍ଟ ଜଳିଯାଇଛି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ଥିବା ବେଳେ ନିଆଁ ଲାଗିବାର ୨ ଘଣ୍ଟା ପରେ ଘଟଣାସ୍ଥଳରେ ଏମସିଏଲର ୪ ଟି ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ୍ତ ଆଣିଥିଲେ। ଅଗ୍ନିକାଣ୍ଡ ଯୋଗୁ ଆଜି ସାଇଲୋରୁ ଟ୍ରେନ ଯୋଗେ କୋଇଲା ପରିବହନ ବାଧାପ୍ରାପ୍ତ ହୋଇଛି।
ଅନ୍ୟପଟେ କୋଇଲା ଖଣିରେ ସୁରକ୍ଷାକୁ ନେଇ ଶ୍ରମିକମାନେ ପ୍ରଶ୍ନ ଉଠାଇଛନ୍ତି। ଗତ ୪ ମାସ ପୂର୍ବରୁ ଭରତପୁର କୋଇଲା ଖଣିରେ ଥିବା ଭରତପୁର ସାଇଲୋରେ ମଧ୍ୟ ଅଗ୍ନିକାଣ୍ଡ ଘଟିଥିଲା। ଫଳରେ ଶ୍ରମିକମାନେ ସଦାସର୍ବଦା ବିପଦରେ କାର୍ଯ୍ୟ କରୁଥିବା କହିଛନ୍ତି। ଏଥିପ୍ରତି ଖଣି କର୍ତ୍ତୃପକ୍ଷ ସଜାଗ ରହିବାକୁ ବିଭିନ୍ନ ଶ୍ରମିକ ସଙ୍ଗଠନ ଦାବି କରିଛନ୍ତି।