ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ଅପର୍ତ୍ତିପୁର ଗାଁ ପଞ୍ଚାୟତ ପୋଖରୀରୁ ମାଟି ଚୋରୀ ଅଭିଯୋଗରେ ୫ ଜଣ ଗିରଫ। ସୂଚନା ଅନୁଯାୟୀ, ବଅଁରପାଳ ଗ୍ରମା ପଞ୍ଚାୟତ ଅନ୍ତର୍ଗତ ଅପର୍ତ୍ତିପୁର ଗାଁରେ ଥିବା ପଞ୍ଚାୟତ ପୋଖରୀରୁ ଶୁକ୍ରବାର ରାତିରେ ମେସିନ ଓ ହାଇୱା ଲଗାଇ ମାଟି ଚୋରି ହୋଇଥିଲା। ଶନିବାର ସକାଳେ ଗାଁ ଲୋକ ଏହା ଜାଣିବାରେ ପୋଖରୀଠାରେ ପହଞ୍ଚି ଚୋରୀକୁ ରୋକିବାକୁ ଚେଷ୍ଟା କରିଥିଲେ।
ତେବେ ସେଠାରେ ନାଲକୋ ଥାନା ଅନ୍ତର୍ଗତ କୁଲାଡ଼ ଗାଁର ଜିତୁ ଓରଫ ସଞ୍ଜୟ ବାରିକ ଏକ କାରରେ ପହଞ୍ଚି ପିସ୍ତଲ ଦେଖାଇ ଧମକ ଚମକ ଦେଇଥିଲେ। ଗାଁ ଲୋକମାନେ ଏ ନେଇ ବଅଁରପାଳ ଥାନାକୁ ସୂଚନା ଦେଇଥିଲେ। ସୂଚନା ପାଇ ପୁଲିସ ଘଟଣାସ୍ଥଲରେ ପହଞ୍ଚି ଗୋଟିଏ ମାଟିଖୋଳା ମେସିନ, ୩ଟି ହାଇୱା ଓ ଗୋଟିଏ କାର ଜବତ କରିବାସହ, ଏଥିରେ ସମ୍ପୃକ୍ତ କୁଲାଡ଼ ଗାଁର ସଞ୍ଜୟ ବାରିକ, ପ୍ରତାପ ଅମାନ୍ତ, ନିଶା ଥାନା ଅନ୍ତର୍ଗତ ସାନକେରଜାଙ୍ଗ ଗାଁର ସନାତନ ସିଂ, ଢ଼େଙ୍କାନାଳ ଜିଲ୍ଲା ପରଜଙ୍ଗର ମନୋଜ ବେହେରା ଓ କଣ୍ଟାବଣିଆ ଗାଁର ରାଜୁ ବେହେରାଙ୍କୁ ଗିରଫକରି ଶନିବାର କୋର୍ଟ ଚାଲାଣ କରିଛି।