ଛେଣ୍ଡିପଦା: ସ୍ଥାନୀୟ ଅଞ୍ଚଳର ବିଭିନ୍ନ ସ୍ଥାନରୁ ଚୋରି କରିବା ଅଭିଯୋଗରେ ପୋଲିସ ୫ ଜଣଙ୍କୁ ଗିରଫ କରିବା ସହ ଚୋରି ଜିନିଷ ଉଦ୍ଧାର କରିଛି।
ଜରପଡା ପୋଲିସ ସୂଚନା ମୁତାବକ, ଗତ ସେପ୍ଟେମ୍ବର ୪ ତାରିଖ ରାତିରେ ବଡହିଂସରର ଖୁମ୍ବେଶ୍ୱରୀ ପୀଠର ହୁଣ୍ଡି ଓ ପୂଜକ ବଳରାମ ମହାପାତ୍ରଙ୍କ ସ୍କୁଟି (ଓଡି ୧୯ଜି ୦୧୧୫) ଚୋରି ହୋଇଥିଲା। ଏ ନେଇ ଗ୍ରାମସଭାପତି ଲକ୍ଷ୍ମୀଧର ସାହୁ ଥାନାରେ ଅଭିଯୋଗ କରିଥିଲେ। ତଦନ୍ତ କରି ଜରପଡା ପୋଲିସ ବିଭିନ୍ନ ସ୍ଥାନରେ ଚଢ଼ଉ କରି ୫ ଜଣଙ୍କୁ ଗିରଫ କରିଛି। ଏଥିସହ ଖୁମ୍ବେଶ୍ୱରୀ ପୀଠରୁ ଚୋରି ସ୍କୁଟି, ଠାକୁରଗଡ଼ ଅଞ୍ଚଳରୁ ଚୋରି ମୋପେଡ ବାଇକ, ମନ୍ଦିର ମାଇକ ମେସିନ ଓ ହୁଣ୍ଡି, ଜରପଡା ଦୁର୍ଗାପୁର ବିଦ୍ୟାଳୟ ପରିସରରୁ ବୋରୱେଲରୁ ଚୋରି ପାଣିପମ୍ପ ଉଦ୍ଧାର କରିଛି।
ଘଟଣାରେ ସମ୍ପୃକ୍ତ ମୁଖ୍ୟ ଅଭିଯୁକ୍ତ ନିଶା ଶିଳ୍ପାଞ୍ଚଳ ଥାନା ଜଙ୍ଗଲ ଜାମୁଣ୍ଡାର ଗଗନ ନାଏକ(୩୦), ଦୁର୍ଗାପୁରର ଲିପୁ ନାଏକ(୨୦), ତାର ବାପା ଧୃବଚରଣ ନାଏକ(୫୫), ଅତିଥି ବେହେରା(୪୨) ଓ ଅନୁଗୁଳରେ ମିସ୍ତ୍ରୀ ଭାବେ କାର୍ଯ୍ୟରତ ପଶ୍ଚିମବଙ୍ଗ ରାଜ୍ୟ ମୁରସିତାବାଦର ବାବର ଅଲ୍ଲୀ(୩୧)କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି।