ଜମି ବିକ୍ରି ନାଁ ‘ରେ ଠକେଇ, ଥାନାରେ ମାମଲା

0

ଅନୁଗୁଳ: ଜମି କିଣିବାକୁ ଯାଇ ଠକେଇର ଶିକାର । ଲକ୍ଷେ କି ଦୁଇ ଲକ୍ଷ ନୁହଁ, ୫ ଲକ୍ଷ ଟଙ୍କା ଠକି ନେବା ପରେ ଫେରାଇବାର ନାଁ ଧରୁ ନାହାନ୍ତି । ବରଂ ଟଙ୍କା ମାଗିବାରୁ ଗାଳିଗୁଲଜ କରୁଥିବା ନେଇ ଅନୁଗୁଳ ଥାନାରେ ଲିଖିତ ଅଭିଯୋଗ ହୋଇଛି । ପୁଲିସ୍ ସୂଚନା ମୁତାବକ, ଠକେଇର ଶିକାର ହୋଇଥିବା ବ୍ୟକ୍ତି ହେଲେ ଅନୁଗୁଳ ସହର ହାତୀଶାଳପଡ଼ାର ରାମକିଶନ ଅଗ୍ରୱାଲ(୫୭) । ସେ ଗତବର୍ଷ ଏକ ଜାଗା କିଣିବା ପାଇଁ ଅନୁଗୁଳ ସହରର ଶାନ୍ତିବଜାରର ଜଣେ ବ୍ୟକ୍ତିଙ୍କୁ ୫ ଲକ୍ଷ ଟଙ୍କା ଦେଇଥିଲେ । ମାତ୍ର ପରେ ରାମକିଶନ ଜାଣିବାକୁ ପାଇଥିଲେ ଯେ, ଉକ୍ତ ଜମିଟି ଅନ୍ୟ କାହା ନାମରେ ରହିଛି । ସେ ଟଙ୍କା ଦେଇଥିବା ସମ୍ପୃକ୍ତ ଵ୍ୟକ୍ତି ଗଫଲତି କରି ତାଙ୍କ ଠାରୁ ଟଙ୍କା ନେଇ ଯାଇଛନ୍ତି । ତହସିଲ୍ ଅଫିସ୍‌ରେ ଯାଞ୍ଚ ପରେ ସେ ଠକାମିର ଶିକାର ହୋଇଥିବା ସ୍ପଷ୍ଟ ହୋଇଥିଲା । ଫଳରେ ରାମକିଶନ୍ ଗତବର୍ଷ ଅକ୍ଟୋବର ମାସରେ ଅନୁଗୁଳ ଥାନାର ଦ୍ୱାରସ୍ଥ ହୋଇଥିଲେ । ପୁଲିସ୍ ଉପସ୍ଥିତିରେ ଉଭୟଙ୍କ ମଧ୍ୟରେ ଆପୋଷ ବୁଝାମଣା ହୋଇଥିଲା । ମାର୍ଚ୍ଚ ମାସ ସୁଦ୍ଧା ଟଙ୍କା ଫେରାଇ ଦେବ ବୋଲି ସମ୍ପୃକ୍ତ ବ୍ୟକ୍ତି ପୁଲିସ୍ ଆଗରେ ଚୁକ୍ତି କରିଥିଲେ । ମାତ୍ର ଏବେ ସମ୍ପୃକ୍ତ ବ୍ୟକ୍ତି ଧରାଛୁଆଁ ଦେଉନଥିବା ରାମକିଶନ୍ ଅଭିଯୋଗ କରିଛନ୍ତି । ଟଙ୍କା ଫେରାଇବା ବଦଳରେ ତାଙ୍କୁ ଅଶ୍ମୀଳ ଭାଷାରେ ଗାଳିଗୁଲଜ କରୁଛନ୍ତି । ଏମିତିକି ତାଙ୍କୁ ଛୁରୀ ଦେଖାଇ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଏତଲା କ୍ରମେ ପୁଲିସ୍‌ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ଛାନ୍‌ଭିନ୍ ଚଳାଇଛି ।

Leave A Reply

Your email address will not be published.

error: Content is protected !!