ଅନୁଗୁଳ: ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗକୁ ବଡ଼ ସଫଳତା। ଗଞ୍ଜେଇ ଜବତ କରିବା ସହ ସ୍ୱାମୀ-ସ୍ତ୍ରୀଙ୍କୁ ଗିରଫ କରାଯାଇଛି। ଗିରଫ ଦମ୍ପତି ହେଲେ ଭଦ୍ରକ ଜିଲ୍ଲା ଧୋଷରି ଥାନା ବାମକୁରା ଗ୍ରାମର ସନ୍ତୋଷ କୁମାର ଚାନ୍ଦ ଓ ତାଙ୍କ ପତ୍ନୀ କିନ ଲତା ଚାନ୍ଦ। ସେମାନଙ୍କ ନିକଟରୁ ୬ କେଜି ୪୦୦ ଗ୍ରାମ ଗଞ୍ଜେଇ ଜବତ ହୋଇଛି।
ସୂଚନା ମୁତାବକ, ସନ୍ତୋଷ ଓ କିନ ଲତା ବୁଧବାର ସକାଳୁ ଫୁଲବାଣୀରୁ ଭଦ୍ରକ ତାଙ୍କ ସ୍କୁଟି (ଓଡି୨୨ୱାଇ୬୩୨୧) ରେ ୬ କେଜି ୪୦୦ ଗ୍ରାମ ଗଞ୍ଜେଇ ନେଇ ଯାଉଥିଲେ। ଖବର ପାଇ ଆଠମଲ୍ଲିକ ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝୀ, ବଇଣ୍ଡା ଅବକାରୀ ଅଧିକାରୀ ମାଧ ବେଶ ମାରାଣ୍ଡି ଉକ୍ତ ସ୍କୁଟିକୁ ଅଟକାଇ ଯାଞ୍ଚ କରିଥିଲେ। ସେଥିରୁ ଗଞ୍ଜେଇ ବାହାରିଥିଲା। ଏନେଇ ଅବକାରୀ ବିଭାଗ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ଉଭୟଙ୍କୁ କୋର୍ଟ ଚାଲାଣ କରାଯାଇଛି। ଏଥିସହ ସ୍କୁଟିଟି ମଧ୍ୟ ଜବତ କରାଯାଇଛି।