ଛେଣ୍ଡିପଦାରେ ‘ଗରିବ କଲ୍ୟାଣ ସମାବେଶ’ରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ, କହିଲେ- କେନ୍ଦ୍ର ପଠାଉଥିବା ଥିବା ବାଟମାରଣା ହେଉଛି

You are currently viewing ଛେଣ୍ଡିପଦାରେ ‘ଗରିବ କଲ୍ୟାଣ ସମାବେଶ’ରେ ବର୍ଷିଲେ କେନ୍ଦ୍ରମନ୍ତ୍ରୀ, କହିଲେ- କେନ୍ଦ୍ର ପଠାଉଥିବା ଥିବା ବାଟମାରଣା ହେଉଛି

ଛେଣ୍ଡିପଦା/ଅନୁଗୁଳ: ସୋମବାର ଅନୁଗୁଳ ଜିଲ୍ଲାର ଛେଣ୍ଡିପଦା ଠାରେ ଆୟୋଜିତ ‘ଗରିବ କଲ୍ୟାଣ ସମାବେଶ’ରେ ଯୋଗ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏ ଅବସରରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୋଦି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଓ ଉନ୍ନୟନ ଯୋଜନାରେ ଦିଲ୍ଲୀରୁ ଓଡ଼ିଶାକୁ କୋଟି କୋଟି ଟଙ୍କା ଆସିବା ପରେ ମଧ୍ୟ ଏଠାକାର ଶାସନତନ୍ତ୍ର ଭୁଷୁଡି ପଡିଥିବା କାରଣରୁ ମୋଦି ପଠାଉଥିବା ଟଙ୍କାର ୫୦ ଭାଗ ପିସି ହେଉଛି। ସରକାର ଅନ୍ୟ କାହାକୁ ଟେକି ଦିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି।

ମୋଦି ସରକାରଙ୍କ ୯ ବର୍ଷର ସେବା ଅବସରରେ ଆୟୋଜିତ ଏହି ସମାବେଶରେ ଶ୍ରୀ ପ୍ରଧାନ କହିଛନ୍ତି, ଦୀର୍ଘ ୨୩ ର ଲମ୍ବା ଶାସନରେ ଏଠାରେ ପିଇବା ପାଣିର ସୁବିଧା ହୋଇନାହିଁ। ମୋଦି ସରକାରରେ ପିଏମ ଆବାସରେ ଓଡ଼ିଶାକୁ ୨୭ ଲକ୍ଷ ଘର ଆସିଛି। କିନ୍ତୁ ସ୍ଥାନୀୟ ସରକାର ଯୋଗ୍ୟ ହିତାଧିକାରୀଙ୍କୁ ଘର ଦେଉନାହାନ୍ତି। ମୋଦି ସରକାର ନୀତି ତିଆରି କରି ଖଣି ରାଜସ୍ୱ ୫ ହଜାର କୋଟିରୁ ୫୦ ହଜାର କୋଟି ଟଙ୍କା ପର୍ଯ୍ୟନ୍ତ ବଢାଇଛନ୍ତି। ସେହିଭଳି ଅନୁଗୁଳ ଜିଲ୍ଲା ମଧ୍ୟ ବିଗତ ୯ ବର୍ଷରେ ଓଡ଼ିଶାର ତହବିଲକୁ ପ୍ରାୟ ୬୦ ହଜାର କୋଟି ଟଙ୍କା ଦେଇଛି। ଓଡ଼ିଶାର ୩.୨୫ କୋଟି ଲୋକଙ୍କୁ ଗରିବ କଲ୍ୟାଣ ଅନ୍ନ ଯୋଜନାରେ ଚାଉଳ ପ୍ରଦାନ କରାଯାଉଛି। ମାତ୍ର ଦୀପ ତଳ ଅନ୍ଧାର ଭଳି ଏହି ଅଞ୍ଚଳକୁ ଅଣଦେଖା କରାଯାଇଛି।

ସେ କହିଛନ୍ତି, ଚଷାଚାଷୀ ଅଞ୍ଚଳ ଛେଣ୍ଡିପଦାରେ ପ୍ରଧାନମନ୍ତ୍ରୀ ଆବାସରେ ଘର ଦେବା ପାଇଁ ମୋଦିଜୀ ପଠାଉଥିବା ଟଙ୍କା ଓଡ଼ିଶାରେ ବାଟମାରଣା ହେଉଛି । ପାନୀୟ ଜଳ, ଜଳସେଚନ ସମସ୍ୟା ସହିତ ଅଘୋଷିତ ବିଦ୍ୟୁତ୍ କାଟ ହେଉଛି। ଛେଣ୍ଡିପଦାକୁ ଆସୁଥିବା କମ୍ପାନୀମାନେ ଜମି ଅଧିଗ୍ରହଣରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି। ଜାଣିଶୁଣି ତାଳଚେର ମେଡିକାଲର ପରିଚାଳନା ଦାୟିତ୍ୱ ନିଆଯାଉନାହିଁ । ମୋଦି ଦିଲ୍ଲୀରୁ ପଠାଉଥିବା ଟଙ୍କାକୁ ବିକାଶ କାମରେ ନ ଲଗାଇ ଶାସକ ଦଳର କର୍ମୀଙ୍କ ପକେଟ୍ ଗରମ କରାଯାଉଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଅନୁଗୁଳର ମାଟି ରାଜା ସୋମନାଥ ସିଂହ, ପବିତ୍ର ମୋହନ ପ୍ରଧାନ ଏବଂ ବିଚ୍ଛନ୍ଦ ଚରଣ ପ୍ରଧାନଙ୍କ ପରି ସାହସୀ ସଂଗ୍ରାମୀଙ୍କ ମାଟି । ଯେଉଁ ମାଟି ରାଜାରାଜୁଡା ଓ ବ୍ରିଟିଶମାନଙ୍କର ତୋପ ବନ୍ଧୁକଙ୍କୁ ଡରିନଥିଲା, ସେହି ଅଞ୍ଚଳର ସ୍ୱାଭିମାନୀ ଲୋକମାନେ କେବେ ବି ଶାସକ ଦଳର ବଚସ୍କରଙ୍କ କଥାରେ ଡରିବେ ନାହିଁ। ରାଜ୍ୟରେ ନୀଳବର୍ଣ୍ଣ ଶୃଗାଳ ମାନଙ୍କ ମୁଖା ଖୋଲିବାକୁ ହେବ। ୨୦୨୪ରେ ପରିବର୍ତ୍ତନ ହେବ। ଲୋକଙ୍କ ହିତରେ ପରିବର୍ତ୍ତନ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଦାବି କରିଛନ୍ତି।

ଆଜି ଦେଶରେ ପ୍ରଧାନମନ୍ତ୍ରୀ ଗରିବଙ୍କ ପାଇଁ କରିଥିବା କାମକୁ ଅନ୍ୟ ରାଷ୍ଟ୍ରମାନେ ଅନୁସରଣ କରିଛନ୍ତି। ପ୍ରଧାନମନ୍ତ୍ରୀ ଆବାସରେ ଘର, ସ୍ୱଚ୍ଛ ଭାରତ ଯୋଜନାରେ ଶୌଚାଳୟ, ଉଜ୍ଜ୍ୱଳାରେ ଗ୍ୟାସ ଭଳି ଯୋଜନା ଓଡ଼ିଶା ସମେତ ଭାରତବର୍ଷର ଗରିବ ଲୋକଙ୍କୁ ସମ୍ମାନର ସହ ବଞ୍ଚିବାର ଅଧିକାର ଦେଇଛି। ମହିମା ଧର୍ମର ମହାନ ପ୍ରଚାରକ ସନ୍ଥ କବି ଭୀମ ଭୋଇଙ୍କ “ମୋ ଜୀବନ ପଛେ ନର୍କେ ପଡ଼ିଥାଉ” ବିଚାରରେ ଅନୁପ୍ରାଣିତ ହୋଇ ପ୍ରଧାନମନ୍ତ୍ରୀ “ସବକା ସାଥ-ସବକା ବିକାଶ”କୁ ଶାସନ ପ୍ରଣାଳୀରେ ଉପଯୋଗ କରିଛନ୍ତି ବୋଲି ଶ୍ରୀ ପ୍ରଧାନ ଅଭିଭାଷଣରେ କହିଥିଲେ।

ଏହା ପରେ ସେ ଅନୁଗୁଳ ଓ ନାଲକୋ ସ୍ଥିତ ଶ୍ରୀଗୁଣ୍ଡିଚା ମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଭାପତି ଦିଲେଶ୍ୱର ପ୍ରଧାନ, ପ୍ରାକ୍ତନ ସାଂସଦ ରୁଦ୍ର ନାରାୟଣ ପାଣି, ଜିଲ୍ଲା ପ୍ରଭାରୀ ରାଜ୍ୟ ସମ୍ପାଦକ ସୀମାଞ୍ଚଳ ଖଟେଇ, ରାଜ୍ୟ ସମ୍ପାଦକ କାଳନ୍ଦି ସାମଲ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଶୋକ ମହାନ୍ତି, ପ୍ରତାପ ଚନ୍ଦ୍ର ପ୍ରଧାନ ଓ ଅଗସ୍ତି ବେହେରା, ଜିଲ୍ଲା ସାଧାରଣ ସମ୍ପାଦକ ସୁଦିପ ଗଡ଼ନାୟକ, ଯଯାତି ପଟ୍ଟନାୟକ, ଦିଲ୍ଲୀପ ପ୍ରଧାନ, ଜିଲ୍ଲା ଉପ ସଭାପତି ଚୌଧୁରୀ ପ୍ରଧାନ, ଅମୀୟ ତ୍ରିପାଠୀ, ବିଜୟ ମାଝି, ଯଶୋବନ୍ତ ବେହେରା, ମିଲାପ ପ୍ରଧାନ, ଧବେଇ ସାହୁ, ଚିତ୍ତରଞ୍ଜନ ସାହୁ, ମନୋରଞ୍ଜନ ଆଚାରୀ, ଗୋପବନ୍ଧୁ ଗଡ଼ନାୟକ, ରୁଦ୍ର ମୋହନ ଦାସ, ଫକୀର ମୋହନ ସାହୁ, ସୁଦୀପ୍ତ ସ୍ୱାଇଁ, ଅକ୍ଷୟ ପାଦ ବେହେରା, ଜଗଦୀଶ ସାହୁ, ତପନ ଦେବତା, ଜୀବନାନନ୍ଦ ସାହୁ, ଅଜିତ ପ୍ରଧାନ, ସୁଧାକର ବେହେରା, ଗୋବିନ୍ଦ ନାଏକ, ତାପସ ଶତପଥୀ, ବିଶ୍ୱଜିତ ମିଶ୍ର, ପର୍ଶୁରାମ ବାରିକ ପ୍ରମୁଖ ମଞ୍ଚାସୀନ ଥିଲେ।

Share

Leave a Reply