ବଅଁରପାଳ: ଅନୁଗୁଳ ଜିଲ୍ଲା ବଅଁରପାଳ ଥାନା ଲଙ୍ଗୁଳିଆବେଡା ଗାଁ ମୁଣ୍ଡରେ ଥିବା ଏକ ଗ୍ୟାରେଜ ଓ ଟେଣ୍ଟହାଉସରୁ ସୋମବାର ରାତିରେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଦୁର୍ବୃତ୍ତ ମାନେ ଚୋରୀ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଛି।
ଅଭିଯୋଗ ଅନୁଯାୟୀ, ପ୍ରମୋଦ କୁମାର ସାହୁ ଗାଁ ମୁଣ୍ଡ ଆଲୁମିନିୟମ ପାର୍କ ପ୍ରକଳ୍ପ ପାଖରେ ଗ୍ୟାରେଜ ସହ ଏକ ଟେଣ୍ଟହାଉସ ଓ ପାନ ଦୋକାନ କରିଥିଲେ। ପ୍ରତିଦିନ ଭଳି ସେ ରାତିରେ ଦୋକାନ ବନ୍ଦ କରି ଘରକୁ ଆସିଥିଲେ। ସକାଳେ ଦେଖିଲେ ଯେ, ଦୋକାନର ତାଲା ଭଙ୍ଗାଯାଇଛି। ଭିତରକୁ ଯାଇ ଦେଖିଲେ ଯେ, ସେଠାରେ ଥିବା ଗ୍ୟାସ ଟାଙ୍କି, ଟ୍ରକ ବ୍ୟାଟେରୀ, ନୂଆ ଜେନେରେଟର, ପାଣିପମ୍ପ, ଗଛକଟା ମେସିନ, ଗ୍ୟାରେଜରେ ଥିବା ସମସ୍ତ ମରାମତି ଉପକରଣ ଓ ଦୋକାନରେ ଥିବା ଟଙ୍କା ଆଦି ଚୋରୀ ହେଇଯାଇଛି। ସମସ୍ତ ଚୋରୀ ସାମଗ୍ରୀର ମୂଲ୍ୟ ଲକ୍ଷେ ଟଙ୍କା ଉପରେ ହେବ ବୋଲି ପ୍ରମୋଦ ଲିଖିତ ଅଭିଯୋଗ କରିଛନ୍ତି। ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଚାଲିଛି ବୋଲି ଥାନା ଭାରପ୍ରାପ୍ତ ଅଧିକାରୀ ଦୁଷ୍ମନ୍ତ କୁମାର ସିଂ ସୂଚନା ଦେଇଛନ୍ତି।