ପ୍ରତିଶ୍ରୁତି ରଖିଲେନି ହିଙ୍ଗୁଳା ଖଣି କର୍ତ୍ତୃପକ୍ଷ, ରାସ୍ତା ରୋକ କରି ଆନ୍ଦୋଳନ କଲେ କ୍ଷତିଗ୍ରସ୍ତ ଗୋପାଳପ୍ରସାଦ ଗ୍ରାମବାସୀ
ତାଳଚେର: ନିଯୁକ୍ତି, ଥଇଥାନ ତଥା କ୍ଷତିପୂରଣ ଦାବିରେ ତାଳଚେର ବ୍ଲକ ଗୋପାଳପ୍ରସାଦ ଗ୍ରାମବାସୀଙ୍କ ପକ୍ଷରୁ ହିଙ୍ଗୁଳା କୋଇଲା ଖଣି ବନ୍ଦ ଆନ୍ଦୋଳନ କରାଯାଇଛି।
ଆଜି ସକାଳୁ ଶତାଧିକ ଗ୍ରାମବାସୀ ହିଙ୍ଗୁଳା କୋଇଲା ଖଣି, ଟାଇମ ଅଫିସ ଅବରୋଧ କରିଥିଲେ। ଫଳରେ ଖଣିରୁ କୋଇଲା ଉତ୍ପାଦନ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।
ସୂଚନା ମୁତାବକ, ପୂର୍ବରୁ ଗୋପାଳପ୍ରସାଦ ପଞ୍ଚାୟତର ଦୁଇଟି ପର୍ଯ୍ୟାୟରେ ବାସଗୃହ ଓ ଜମି ଏମ୍ସିଏଲ୍ ହିଙ୍ଗୁଳା କୋଇଲା ଖଣି ଦ୍ବାରା ଅଧିଗ୍ରହଣ ହୋଇଥିବା ବେଳେ ତୃତୀୟ ପର୍ଯ୍ୟାୟରେ କୁସୁମପାଳ, ମଲ୍ଲୀବନ୍ଧ ଓ ଗୋପାଳପ୍ରସାଦର କେତେକ ଜମି ଓ ବାସଗୃହକୁ ଅଧିଗ୍ରହଣ କରାଯାଇଛି।
ମାତ୍ର ଦୀର୍ଘଦିନ ବିତି ଯାଇଥିଲେ ମଧ୍ୟ ଗ୍ରାମବାସୀଙ୍କୁ ଏବେ ଯାଏଁ ଉପଯୁକ୍ତ କ୍ଷତିପୂରଣ, ନିଯୁକ୍ତି ତଥା ଥଇଥାନ ଆଦି ସୁବିଧା ପ୍ରଦାନ କରାଯାଇନାହିଁ।
ଏ ନେଇ ଗ୍ରାମବାସୀ ବାରମ୍ବାର ଏମ୍ସିଏଲ୍ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଖଣି କର୍ତ୍ତୃପକ୍ଷ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ପ୍ରତିଶ୍ରୁତି ରକ୍ଷା କରିବାରେ ଖଣି କର୍ତ୍ତୃପକ୍ଷ ବାରମ୍ବାର ବିଫଳ ହେଉଥିବାରୁ ଗ୍ରାମ ସଭାପତି ରଞ୍ଜିତ ବେହେରା, ସମ୍ପାଦକ ପ୍ରଶାନ୍ତ କୁମାର ବେହେରା ଓ ପୂର୍ବତନ ଜିଲ୍ଲାପରିଷଦ ସଦସ୍ୟ ରାଜେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଗ୍ରାମବାସୀ ଏହି ଆନ୍ଦୋଳନ ଚଳାଇଥିଲେ।
ଖବର ପାଇବ ଖଣି କର୍ତ୍ତୃପକ୍ଷ ଓ ସ୍ଥାନୀୟ ପୋଲିସ ଅଧିକାରୀ ଘଟଣାସ୍ଥଳକୁ ଯାଇ ଗ୍ରାମବାସୀଙ୍କୁ ବୁଝାସୁଝା କରିବା ସହ ଚଳିତ ମାସ ୯ ତାରିଖ ସୁଦ୍ଧା ସମସ୍ତ ସମସ୍ୟାର ସମାଧାନ କରାଯିବ ବୋଲି ପ୍ରତିଶ୍ରୁତି ଦେବାରୁ ଅପରାହ୍ନ ୫ଟାରେ ଖଣିବନ୍ଦ ଆନ୍ଦୋଳନ ପ୍ରତ୍ୟାହୃତ ହୋଇ ଯାତାୟାତ ସ୍ୱାଭାବିକ ହୋଇଥିଲା।