ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଡ଼ ସଫଳତା

You are currently viewing ଶ୍ରୀ ଜଗନ୍ନାଥ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ବଡ଼ ସଫଳତା

କଣିହାଁ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ସରକାରୀ ଉଚ୍ଚ ବିଦ୍ୟାଳୟ, ବଡ଼ଗୁଣ୍ଡୁରୀର ଛାତ୍ରଛାତ୍ରୀମାନେ ବିଭିନ୍ନ ପ୍ରତିଯୋଗିତାରେ ଉଲ୍ଲେଖନୀୟ ସଫଳତା ହାସଲ କରି ବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି।

ଓଡ଼ିଶା ପୋଲିସ ବିଭାଗ ଓ ନର୍ଥ ସେଣ୍ଟ୍ରାଲ ରେଞ୍ଜ ଆନୁକୂଲ୍ୟରେ ପୋଲିସ୍ ଟ୍ରେନିଂ କଲେଜ୍, ଅନୁଗୁଳ ଠାରେ ନଭେମ୍ବର ୧୧ ତାରିଖରେ ଆୟୋଜିତ ରେଞ୍ଜ ସ୍ତରୀୟ ‘ସାଇବର ସୁରକ୍ଷା ସଚେତନତା ଅଭିଯାନ–୨୦୨୫’ ବିତର୍କ ପ୍ରତିଯୋଗିତାରେ ନବମ ଶ୍ରେଣୀର ଛାତ୍ରୀ ପ୍ରିୟଦର୍ଶିନୀ ସାହୁ ଜୁନିଅର ଓଡ଼ିଆ ବିଭାଗରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ସେ ବର୍ତ୍ତମାନ ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ମନୋନୀତ ହୋଇଛନ୍ତି। କୃତୀ ଛାତ୍ରୀଙ୍କୁ ନର୍ଥ ସେଣ୍ଟ୍ରାଲ ରେଞ୍ଜର ଆଇ.ଜି. ସତ୍ୟବ୍ରତ ଭୋଇ ପୁରସ୍କୃତ କରିଥିଲେ।

ସେହିପରି, ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର ହାପି ଦେହୁରୀ ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତାରେ ଉତ୍କୃଷ୍ଟ ପ୍ରଦର୍ଶନ କରି ରାଜ୍ୟସ୍ତରୀୟ ପ୍ରତିଯୋଗିତା ପାଇଁ ଚୟନୀତ ହୋଇଛନ୍ତି।

ଏହା ବ୍ୟତୀତ, ବିଦ୍ୟାଳୟର କୌଶଳୀ କ୍ଲବ୍‌ରୁ ଛାତ୍ର ଶୁଭମ ଶଙ୍କର ସାହୁ ଓ ପାର୍ଥ ସାରଥୀ ସାହୁ ‘ସ୍ୱପ୍ନର ଓଡ଼ିଶା–୨୦୩୬’ ଅବସରରେ ଅଂଶଗ୍ରହଣ କରି ରାଜ୍ୟ ସ୍ତରୀୟ ଶିଶୁ ମହୋତ୍ସବ “ସୁରଭି–୨୦୨୫” ପାଇଁ ମଧ୍ୟ ମନୋନୀତ ହୋଇଛନ୍ତି।

ଛାତ୍ରଛାତ୍ରୀଙ୍କ ଏହି ଅନୁକରଣୀୟ ସଫଳତା ବିଦ୍ୟାଳୟ ଓ ସମଗ୍ର କଣିହାଁ ଅଞ୍ଚଳ ପାଇଁ ଗର୍ବର ବିଷୟ ପାଲଟିଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଏହି ସଫଳତା ପାଇଁ ସମସ୍ତ ଛାତ୍ରଛାତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Share

Leave a Reply