CADLAB

ଡା ଭବାନୀ ଶଙ୍କର ବଳଙ୍କ ପରଲୋକ

0

ଅନୁଗୁଳ: ବରିଷ୍ଠ ଚିକିତ୍ସକ (ଶଲ୍ୟ ବିଶେଷଜ୍ଞ) ଡା. ଭବାନୀ ଶଙ୍କର ବଳଙ୍କର ସୋମବାର ରାତିରେ ଭୁବନେଶ୍ବରସ୍ଥିତ ବାସଭବନରେ ପରଲୋକ ହୋଇଯାଇଛି। ତାଙ୍କୁ ୫୮ ବର୍ଷ ହୋଇଥିଲା। ଭୁବନେଶ୍ଵର କ୍ୟାପିଟାଲ୍ ହସ୍ପିଟାଲରେ ସେ ବରିଷ୍ଠ ଶଲ୍ୟ ବିଶେଷଜ୍ଞ ଭାବରେ ଅବସ୍ଥାପିତ ଥିଲେ । କୋଭିଡ଼ ସଂକ୍ରମିତ ହେବାରୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲ୍‌ରେ ଚିକିତ୍ସିତ ହୋଇ ଘରକୁ ଫେରିଥିଲେ। କୋଭିଡ଼ ପରବର୍ତୀ ଜଟିଳତା କାରଣରୁ ରାତି ପ୍ରାୟ ୯ଟା ବେଳେ ସେ ଶେଷ ନିଃଶ୍ବାସ ତ୍ୟାଗ କରିଥିବା ଜଣାପଡ଼ିଛି । ପୁରୀ ସ୍ଵର୍ଗଦ୍ଵାରଠାରେ ମଙ୍ଗଳବାର ତାଙ୍କର ଅନ୍ତିମ ସଂସ୍କାର କରାଯାଇଛି । ଅନ୍ତିମଶଯ୍ୟା ନିକଟରେ ତାଙ୍କର ପତ୍ନୀ, ଏକମାତ୍ର ପୁଅ ସମେତ ପରିବାର ଓ ଆତ୍ମୀୟ ଲୋକମାନେ ଉପସ୍ଥିତ ଥିଲେ । ସ୍ୱର୍ଗତ ଡା. ବଳ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାର ବରିଷ୍ଠ ପ୍ରସୂତି ଓ ସ୍ତ୍ରୀ ରୋଗ ବିଶେଷଜ୍ଞ ଡା. ଗୌରୀଶଙ୍କର ବଳଙ୍କ କନିଷ୍ଠ ଭ୍ରାତା।ଏହାଛଡ଼ା ଅନୁଗୁଳ ବିଧାୟକ ତଥା ବିଧାନସଭାର ଉପବାଚସ୍ପତି ରଜନୀକାନ୍ତ ସିଂହଙ୍କର ସେ ସମ୍ପର୍କୀୟ (ପିଉସୀ ପୁଅ) ଭାଇ ଅଟନ୍ତି। ତାଙ୍କର ପୈତୃକ ଗ୍ରାମ ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଇଲାକା ତେନ୍ତୁଳିସିଂହା ଗ୍ରାମରେ । ହେଲେ ତାଙ୍କର ଶୈଶବ ବଅଁରପାଳ ଗୋତମରାଠାରେ ହିଁ କଟିଥିଲା। ବଅଁରପାଳ ହାଇସ୍କୁଲ ଓ ଅନୁଗୁଲ କଲେଜରେ ସେ ଶିକ୍ଷା ଗ୍ରହଣ କରିଥିଲେ। ତାଙ୍କ ଅକାଳ ବିୟୋଗରେ ଗୌତମରା ସମେତ ଅନୁଗୁଳରେ ଶୋକ ଖେଳିଯାଇଛି । ପୂର୍ବତନ ଟାମଡ଼ା ଅଧ୍ୟକ୍ଷ ଶକ୍ତିପ୍ରସାଦ ପଟ୍ଟନାୟକଙ୍କ ସମେତ ଜିଲ୍ଲାର ଡାକ୍ତର ମହଲ ଗଭୀର ଶୋକ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.