ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକରେ ଏକ ଗ୍ରୀଡଷ୍ଟେସନ ପ୍ରତିଷ୍ଠା ପାଇଁ ଶୁକ୍ରବାର ରାଜ୍ୟ କ୍ୟାବିନେଟର ମୋହର ବାଜିଛି। ରାଜ୍ୟର କେତେକ ଅଞ୍ଚଳରେ ଲୋଭୋଲ୍ଟେଜ ସମସ୍ୟାର ସମାଧାନ ପାଇଁ ରାଜ୍ୟ ସରକାର ଚାରୋଟି ସ୍ଥାନରେ ଗ୍ରୀଡଷ୍ଟେସନ ପ୍ରତିଷ୍ଠା କରିବାକୁ ନେଇଥିବା ନିଷ୍ପତ୍ତିକ୍ରମରେ ଆଠମଲ୍ଲିକ ସେଥୁରୁ ଅନ୍ୟତମ। ଆଠମଲ୍ଲିକ ସବ୍ଡିଭିଯନର ବିଭିନ୍ନ ଅଞ୍ଚଳରେ ବିଦ୍ୟୁତ ବିଭ୍ରାଟ ଦେଖାଯାଉଥିଲା । ଜନସାଧାରଣଙ୍କ ପକ୍ଷରୁ ବାରମ୍ବାର ବିଭିନ୍ନ ମାଧ୍ୟମରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିଲା । ପୂର୍ବତନ ପୂର୍ତ୍ତ ସଚିବ ତଥା ସମ୍ବଲପୁର ବିଜେଡି ପର୍ଯ୍ୟବେକ୍ଷକ ନଳିନୀକାନ୍ତ ପ୍ରଧାନ ଓ ବିଧାୟକ ରମେଶଚନ୍ଦ୍ର ସାଏଙ୍କ ପ୍ରଚେଷ୍ଠାରେ ଗ୍ରୀଡ଼ଷ୍ଟେସନ ସ୍ଥାପନ ପାଇଁ ବାରମ୍ବାର ସରକାରଙ୍କ ଦୃଷ୍ଟି ଆକର୍ଷଣ କରାଯାଇ ଆସୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଧକ୍ଷତାରେ ଗତ ଶୁକ୍ରବାର ଅନୁଷ୍ଠିତ କ୍ୟାବିନେଟ ବୈଠକରେ ଆଠମଲ୍ଲିକ ସମେତ ଅନ୍ୟ ତିନୋଟି ସ୍ଥାନରେ ୨୬୦ କୋଟି ମୂଲ୍ୟର ୩୩/୧୧ କେଭିର ଗ୍ରୀଡଷ୍ଟେସନ ସ୍ଥାପନ ହେବାକୁ ନିଷ୍ପତ୍ତି ହୋଇଛି । ପ୍ରାୟ ୬୫ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ଗ୍ରୀଡ଼ଷ୍ଟେସନ ଆଠମଲ୍ଲିକଠାରେ ନିର୍ମାଣ ହେବାକୁ ଯାଉଛି । କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ମୁଖ୍ୟ ଶାସନସଚିବଙ୍କ ଘୋଷଣା ପରେ ଆଠମଲ୍ଲିକ ଜନସାଧାରଣଙ୍କ ପକ୍ଷରୁ ଓକିଲ ସଂଘ ସଭାପତି ସୁଶାନ୍ତ କୁମାର ମହାପାତ୍ର, ବରିଷ୍ଠ ନାଗରିକ ମଞ୍ଚ ସଭାପତି ବିରେନ୍ଦ୍ର କୁମାର ମିଶ୍ର, ଅବସରପ୍ରାପ୍ତ ସରକାରୀ କର୍ମଚାରୀ ମଞ୍ଚ, ବିଭିନ୍ନ ବଜାର କମିଟି ପକ୍ଷରୁ ରାଜ୍ୟ ସରକାରଙ୍କୁ କୃତଜ୍ଞତା ଜଣାଇଛନ୍ତି।
ଆଠମଲିକରେ ପ୍ରତିଷ୍ଠା ହେବ ଗ୍ରୀଡଷ୍ଟେସନ
- Post published:December 27, 2021
- Post category:ଅନ୍ୟାନ୍ୟ / ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
