ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରର ଅଗ୍ରଣୀ ସାମାଜିକ ସାଂସ୍କୃତିକ ଅନୁଷ୍ଠାନ “ଆମ ପ୍ରତିଭା ଆମ ପରିଚୟ” ପକ୍ଷରୁ ଗୁରୁ ଦିବସ ପାଳିତ ହୋଇଛି। ଆଜି ସ୍ଥାନୀୟ ଦେଉଳବେଡ଼ା ସ୍ଥିତ ଡି ସି ଆଇ ହଲ ଠାରେ ୨୨ତମ ଗୁରୁ ପୂଜନ ଓ ପ୍ରତିଭା ସମ୍ମାନ ଉତ୍ସବରେ ସଭାପତି ଅବସରପ୍ରାପ୍ତ ଅଧ୍ୟାପକ ଡ.ଉପେନ୍ଦ୍ର ପରିଡା ସଭାପତିତ୍ବ କରିଥିଲେ। ସାଧାରଣ ସମ୍ପାଦକ ଇଁ. ରମେଶ ଚନ୍ଦ୍ର ବେହେରା ଅତିଥି ପରିଚୟ କରିବା ସହ ବାର୍ଷିକ ବିବରଣୀ ପାଠ କରିଥିଲେ। ଅବସରପ୍ରାପ୍ତ ଅଧ୍ୟକ୍ଷ ସରୋଜ କୁମାର ପ୍ରଧାନ ମଞ୍ଚ ପରିଚାଳନା କରିଥିଲେ।
ମୁଖ୍ୟ ଅତିଥି ଭାବେ ତାଳଚେର ଉପଜିଲ୍ଲାପାଳ ସମୀର କୁମାର ଜେନା ଯୋଗ ଦେଇ ଏହି କାର୍ଯ୍ୟକ୍ରମ ପାଇଁ ଅନୁଷ୍ଠାନକୁ ଧନ୍ୟବାଦ ଜଣାଇଥିଲେ। ଅନ୍ୟତମ ଅତିଥି ଭାବେ ତାଳଚେର ଏସ ଡି ପି ଓ ଭରତ ଚନ୍ଦ୍ର ସାହୁ ଯୋଗ ଦେଇ ଅନୁଷ୍ଠାନ ପୂଜ୍ୟ ପୂଜାର ପରମ୍ପରାକୁ ବଜାୟ ରଖିଥିବାରୁ ଖୁସି ପ୍ରକାଶ କରିଥିଲେ।
ପ୍ରାରମ୍ଭରେ ଉପସ୍ଥିତ ଗୁରୁଙ୍କୁ ଅନୁଷ୍ଠାନ ପକ୍ଷରୁ ଗୁରୁ ପୂଜନ କରାଯାଇଥିଲା। ଚଳିତ ବର୍ଷ ଅବସର ଗ୍ରହଣ କରିଥିବା ପ୍ରାଥମିକ, ହାଇସ୍କୁଲ ଓ ମହାବିଦ୍ୟାଳୟର ଶିକ୍ଷକ ଶିକ୍ଷୟିତ୍ରୀ, ଅଧ୍ୟାପକ ଅଧ୍ୟାପିକାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।
ସେହିପରି ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ଛାତ୍ରଛାତ୍ରୀ, ମାତୃଭାଷାରେ ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀ ଓ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିଥିବା ବ୍ୟକ୍ତି ଅନୁଷ୍ଠାନକୁ “ଆମ ପ୍ରତିଭା ଆମ ପରିଚୟ’ ଅନୁଷ୍ଠାନ ପକ୍ଷରୁ ପୁରସ୍କୃତ କରାଯାଇଥିଲା।
ଅନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ସାଂସଦ ମହେଶ ସାହୁ ସମସ୍ତଙ୍କୁ ଅନୁଷ୍ଠାନ ସହିତ ଜଡିତ ହେବାପାଇଁ ଆହ୍ବାନ କରିଥିଲେ।
ଅନ୍ୟମାନଙ୍କ ମଧ୍ୟରେ ତାଳଚେର ପୌର ପରିଷଦର ନଗରପାଳ ପବିତ୍ର ଭୂତିଆ, ଅନୁଗୁଳ ସଂଯୁକ୍ତ ବ୍ୟାଙ୍କ୍ ସଭାପତି ସନ୍ତୋଷ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ରଂଜନ ସାହୁ, ରିତାରାଣୀ ଦାସ, ଗୋପାଳ ନାଏକ ପ୍ରମୁଖ ଅଭିଭାଷଣ ପ୍ରଦାନ କରିଥିଲେ। ଆଗେଇବା ଖବର କାଗଜ ର ପରିଚାଳନା ସମ୍ପାଦକ ଗଦାଧର ସାହୁ ଧନ୍ୟବାଦ ଦେଇଥିଲେ। ଶେଷରେ ରେଶ୍ମା ଡ୍ୟାନ୍ସ ଗ୍ରୁପର କୁନି କଳାକାର ନୃତ୍ୟ ଓ ସ୍ଥାନୀୟ କଳାକାର ସଙ୍ଗୀତ ପରିବେଷଣ କରିଥିଲେ।