ଅନୁଗୁଳ: ଜାତୀୟ ପତାକା ଗୋଟିଏ ଦେଶର ମାନ, ସମ୍ମାନ, ଅଭିମାନର ପ୍ରତୀକ। ଜାତୀୟ ପତାକା ନାଗରିକକୁ ଦେଶ ପ୍ରେମରେ ଉଦବୁଦ୍ଧ ହେବା ପାଇଁ ପ୍ରେରଣା ଦିଏ।ଭାରତର ସ୍ୱତନ୍ତ୍ରତା ଦିବସ ପୂର୍ବରୁ ମୋଦି ସରକାର ଯେଉଁ ହର୍ ଘର୍ ତିରଙ୍ଗା ଅଭିଯାନର ଡାକରା ଦେଇଥିଲେ ତାହା ଦେଶ ବ୍ୟାପି ଏକ କ୍ରାନ୍ତିର ରୂପ ନେଇଥିଲା। ଆବାଳବୃଢବନିତା ହାତରେ ଜାତୀୟ ପତାକା ଧରି ମାତୃଭୂମିର ସୁରକ୍ଷା ପାଇଁ ଯେଭଳି ପଣ କରିଥିଲେ ତାହା ଦେଖିଲା ଭଳିଆ ଜାତୀୟ ଏକତା କୁ ପ୍ରଦର୍ଶିତ କରିଥିଲା।ଆଜି ସଭଘରେ ଅନୁଗୁଳ ପୌରପାଳିକା ଆନୁକୁଲ୍ୟରେ ଏହି ତିରଙ୍ଗା ଶୋଭାଯାତ୍ରାର ଶୁଭାରମ୍ଭ କରାଯାଇଥିଲା।
ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଏହି ଶୋଭାଯାତ୍ରା ଶୁଭାରମ୍ଭ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ନଗରପାଳ ଅକ୍ଷୟ କୁମାର ସାମନ୍ତ,ପାରିଷଦ ବୃନ୍ଦ,ନିର୍ବାହୀ ଅଧିକାରୀ ସତ୍ୟପ୍ରକାଶ ତ୍ରିପାଠୀ, ଟ୍ରକ୍ ମାଲିକ ସଂଘ ସଭାପତି ଅମରେଶ ସ୍ୱାଇଁ ପ୍ରମୁଖ ଯୋଗ ଦେଇଥିଲେ।
ଶୋଭାଯାତ୍ରାରେ ଅନୁଗୁଳ ଡିଫେନସ୍ ଭେଟ୍ରାନର ସଭାପତି ଅନିଲ କୁମାର ମହାନ୍ତିଙ୍କ ନେତୃତ୍ୱରେ ସଂଗଠନର ବହୁ ସଦସ୍ୟ,ପାଞ୍ଚ ଶହରୁ ଉର୍ଦ୍ଧ୍ବ ସ୍କୁଲ ଛାତ୍ର ଛାତ୍ରୀ,ଅନୁଗୁଳର ନାଗରିକ ଓ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।ସେମାନେ ହାତରେ ଜାତୀୟ ପତାକା ଧରି ଭାରତ ମାତାଙ୍କ ଉଦ୍ଦେଶ୍ୟରେ ବିଭିନ୍ନ ସ୍ଲୋଗାନ ଦେଇ ନଗର ପରିକ୍ରମା କରିଥିଲେ।