ଥମୁନି ହାତୀ-ମଣିଷ ବିବାଦ: ୧୦ ବର୍ଷରେ ୯୯୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଯାଇଛି ୭୯୪ ହାତୀଙ୍କ ଜୀବନ

You are currently viewing ଥମୁନି ହାତୀ-ମଣିଷ ବିବାଦ: ୧୦ ବର୍ଷରେ ୯୯୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଯାଇଛି ୭୯୪ ହାତୀଙ୍କ ଜୀବନ

ଅନୁଗୁଳ: ହାତୀ -ମଣିଷ ବିବାଦ ଏବେ ଚରମରେ ପହଞ୍ଚିଛି। ପ୍ରତିଦିନ ହାତୀ ଆକ୍ରମଣରେ ମଣିଷଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସୁଛି। ଏଥିସହ ମଣିଷଙ୍କ ଲାଗି ହାତୀଙ୍କ ଜୀବନ ଯାଉଥିବା ମାମଲା ବି ଖବର ଶିରୋନାମାରେ ରହୁଛି। ଲୋକଙ୍କ ଆକ୍ରୋଶକୁ ଦେଖି ସରକାର ହାତୀ ଆକ୍ରମଣରେ ମୃତ୍ୟୁ ଘଟଣାରେ କ୍ଷତିପୂରଣ ରାଶି ବଢାଇ ଚୁପ୍ ବସିଛନ୍ତି।ତେବେ ନିକଟରେ ଜଙ୍ଗଲ ଓ ପରିବେଶ ମନ୍ତ୍ରଣାଳୟର ଏକ ରିପୋର୍ଟରେ କୁହାଯାଇଛି କି ୧୫ ଟି ହାତୀ ବହୁଳ ରାଜ୍ୟରେ ୧୫୦ ଟି ହାତୀ କରିଡ଼ର ରହିଛି। ପଶ୍ଚିମବଙ୍ଗରେ ସର୍ବାଧିକ ୨୬ ଟି କରିଡ଼ର ଥିବା ବେଳେ ଓଡ଼ିଶାରେ ୧୪ ଟି ହାତୀ କରିଡ଼ର ରହିଛି। ଦେଶର ୫୯ ଟି କରିଡ଼ରରେ ହାତୀଙ୍କ ଗତିବିଧି ବଢ଼ିଥିବା ବେଳେ ୨୯ ଟି ରେ କମିଛି।

ଓଡ଼ିଶାରେ ୧୪ ରୁ ୯ ଟି କରିଡ଼ରରେ ହାତୀ ଚଳାଚଳ କମିଥିବା ବେଳେ ଗୋଟିଏ କରିଡ଼ର ନଷ୍ଟ ହୋଇଛି।ଓଡ଼ିଶାର ୧୪ ଟି କରିଡ଼ର ମଧ୍ୟରୁ ଚାରିଗୋଟି ଇଣ୍ଟର ଷ୍ଟେଟ କରିଡ଼ର ରହିଛି। ଏହାର ମୋଟ ଦୈର୍ଘ୍ୟ ୩୮୭.୨୭ କିମି ରହିଛି।

ସେହିପରି ରାଜ୍ୟରେ ବର୍ଷ ୨୦୧୩ ରୁ ୨୦୨୩ ମଧ୍ୟରେ ହାତୀ ଆକ୍ରମଣରେ ୯୯୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୭୯୪ ଟି ହାତୀ ଙ୍କ ମଧ୍ୟ ଜୀବନ ଯାଇଛି। ରାଜ୍ୟରେ କେବଳ ୨୦୨୨-୨୩ ରେ ୧୫୦ ଲୋକଙ୍କ ପ୍ରାଣ ହାନୀ ଘଟିଥିବା ବେଳେ ୯୨ ଟି ହାତୀ ମରିଛନ୍ତି। ସମଗ୍ର ଦେଶରେ ଏହା ସର୍ବାଧିକ ହୋଇଥିବାରୁ ପରିବେଶବିତଙ୍କ ଚିନ୍ତା ବଢ଼ିଛି।

ଅନୁଗୁଳ ଜିଲ୍ଲାରେ ମଧ୍ୟ ହାତୀ ପାଇଁ ସ୍ଥାନୀୟ ଲୋକ ଓ ବନ ବିଭାଗ ମୁହାଁମୁହିଁ ହୋଇଥିବା ନଜିର ରହିଛି। ଅନୁଗୁଳ ବ୍ଲକର ବନ୍ତଳା ଓ ତରଭା ଅଞ୍ଚଳରେ ଏହି ବିବାଦ ଯୋଗୁଁ ଉତ୍ତ୍ୟକ୍ତ ଲୋକେ ବନ କର୍ମଚାରୀଙ୍କୁ ଅଟକ ରଖୁଛନ୍ତି ନଚେତ୍ ରାସ୍ତା ରୋକ କରୁଛନ୍ତି। ତଥାପି ନା ହାତୀଙ୍କୁ ବନ ବିଭାଗ ଅଟକାଇ ପାରୁଛନ୍ତି ନା ମଣିଷଙ୍କ ଜୀବନ ବଞ୍ଚାଇ ପାରୁଛନ୍ତି। ଏଥିପ୍ରତି ସରକାର ଅଧିକ ଯତ୍ନଶୀଳ ହେବାର ଆବଶ୍ୟକତା ଥିବା କୁହାଯାଉଛି।

Share

Leave a Reply