ଭୀମ ଭୋଇଙ୍କ “ସ୍ତୁତି ଚିନ୍ତାମଣି”ର ହିନ୍ଦୀ ଅନୂଦିତ ପୁସ୍ତକ ଉନ୍ମୋଚିତ

You are currently viewing ଭୀମ ଭୋଇଙ୍କ “ସ୍ତୁତି ଚିନ୍ତାମଣି”ର ହିନ୍ଦୀ ଅନୂଦିତ ପୁସ୍ତକ ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ସାହିତ୍ୟ ସଂସଦ ଓ ଭାରତ ବିକାଶ ପରିଷଦର ମିଳିତ ଆନୁକୁଲ୍ୟରେ ସ୍ଥାନୀୟ ଏକ ହୋଟେଲରେ ପୁସ୍ତକ ଉନ୍ମୋଚନ ସମାରୋହ ଆୟୋଜିତ ହୋଇଯାଇଛି। କାନାଡାରେ ରହୁଥିବା ଭାରତୀୟ ବଂଶଜ କଥାକାର ଓ ସାମ୍ବାଦିକ ସୁମନ କୁମାର ଘଇ ମୁଖ୍ୟ ଅତିଥି ରୂପେ ସମାରୋହକୁ ଉଦ୍ଘାଟନ କରିଥିଲେ।ଶ୍ରୀ ଘଇ ନିଜ ଅଭିଭାଷଣରେ ବିଶ୍ଵରେ ହିନ୍ଦୀ ସାହିତ୍ୟର ସ୍ଥିତି ଓ ସାମ୍ପ୍ରତିକ ପରିସ୍ଥିତିରେ ଇଣ୍ଟରନେଟ ସାହିତ୍ୟର ଉପଯୋଗିତା ଉପରେ ଆଲୋକପାତ କରିଥିଲେ। ଲୋକ ସାହିତ୍ୟକୁ ରାଷ୍ଟ୍ରୀୟ ସ୍ତର ପର୍ଯ୍ୟନ୍ତ ନେବା ପାଇଁ ଉଦ୍ୟମ ହେବା ଆବଶ୍ୟକ ଏବଂ ଅନୁବାଦ ସାହିତ୍ୟରେ ଉଭୟ ଭାଷା ସଂସ୍କୃତିକୁ ନଜାଣିଲେ ତାହା ସଫଳ ହୁଏ ନାହିଁ ବୋଲି ଶ୍ରୀ ଘଇ  କହିଥିଲେ ।

ସମ୍ମାନିତ ଅତିଥି ରୂପେ ବିଶିଷ୍ଟ ଔପନ୍ୟାସିକ କ୍ଷୀରୋଦ ପରିଡ଼ା ଓ ରମା ଗଡ଼ନାୟକ ଭୀମ ଭୋଇଙ୍କୁ ଆଶ୍ଚର୍ଯ୍ୟ କବି ଅବା ଦିବ୍ୟ ଚେତନାର କବି ବୋଲି ଅବିହିତ କରିଥିଲେ। ମାନବବାଦ ଓ ଏକେଶ୍ୱରବାଦ ମହିମା ଧର୍ମର ଅନ୍ତଃସ୍ୱର ବୋଲି କହିବା ସହ ସ୍ତୁତି ଚିନ୍ତାମଣି ଓଡ଼ିଆ ସାହିତ୍ୟକୁ ରୁଦ୍ଧିମନ୍ତ କରି ଆସିଛି ବୋଲି ପ୍ରକାଶ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭାରତ ବିକାଶ ପରିଷଦର ସମ୍ପାଦକ ବିଜୟ ମୋଦି,ବିଶିଷ୍ଟ ଅନୁବାଦକ ତଥା ହିନ୍ଦୀ ସାହିତ୍ୟର କଥାକାର ଦିନେଶ ମାଲି ଉପସ୍ଥିତ ଥିଲେ।

ଭାରତ ବିକାଶ ପରିଷଦର ସଭାପତି ଶାନ୍ତନୁ କୁମାର ସର ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। ଓଡ଼ିଶାରେ ମହିମା ଧର୍ମର ଅଭ୍ୟୁଦୟ ଓ ଏହାର ପ୍ରଭାବ ଉପରେ ଶ୍ରୀ ସର ଆଲୋଚନା କରିଥିଲେ। ସମାରୋହରେ ଶ୍ରୀ ମାଲିଙ୍କ ପୁସ୍ତକ ସ୍ମୃତିଓଁ କି ଉଡ଼ାନ, ଶହୀଦ ବିକା ନାଏକ କି ଖୋଜ୍ ଓ ସ୍ତୁତି ଚିନ୍ତାମଣିକୁ ମୁଖ୍ୟଅତିଥି ଉନ୍ମୋଚନ କରିବା ସହ ଭୀମ ଭୋଇଙ୍କ ସ୍ତୁତି ଚିନ୍ତାମଣି କବିତା ଗ୍ରନ୍ଥ ହିନ୍ଦୀରେ ଅନୁବାଦ ପରେ ଏବେ ତାହା ଭାରତୀୟ ହିନ୍ଦୀ ସାହିତ୍ୟକୁ ରୁଦ୍ଧିମନ୍ତ କରିବ ବୋଲି କହିଥିଲେ ।

ଏଥିସହ ଜଗନ୍ନାଥ ତିୱାରୀଙ୍କ ଗ୍ରାମ୍ୟ ଗାଥାଏଁ ପୁସ୍ତକ ସମାରୋହରେ ଉନ୍ମୋଚିତ ହୋଇଥିଲା ।ସମାରୋହରେ ବିଶିଷ୍ଟ ସାହିତ୍ୟିକ ଶ୍ରୀ ଘଇ ତାଙ୍କ ପତ୍ନୀଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର,ଅଙ୍ଗବସ୍ତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ ସାହିତ୍ୟ ସଂସଦ ସମ୍ପାଦକ ରାଧାକାନ୍ତ ମହାନ୍ତି ଧନ୍ୟବାଦ୍ ଅର୍ପଣ କରିଥିଲେ।

Share

Leave a Reply