ନେତାଙ୍କ ଘର ବାହୁଡ଼ା: ପଦ୍ମ ଛାଡ଼ି ପୁଣି ଶଙ୍ଖ ଧରିଲେ ଅନୁଗୁଳର ବରିଷ୍ଠ ନେତା ଦୁର୍ଗାଚରଣ ପ୍ରଧାନ

You are currently viewing ନେତାଙ୍କ ଘର ବାହୁଡ଼ା: ପଦ୍ମ ଛାଡ଼ି ପୁଣି ଶଙ୍ଖ ଧରିଲେ ଅନୁଗୁଳର ବରିଷ୍ଠ ନେତା ଦୁର୍ଗାଚରଣ ପ୍ରଧାନ

ଭୁବନେଶ୍ୱର : ଅନୁଗୁଳ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଅନୁଗୁଳ ବ୍ଳକର ୨୦୨୨ର ବିଜେପି ଜିଲ୍ଲା ପରିଷଦ ପ୍ରାର୍ଥୀ ଦୁର୍ଗାଚରଣ ପ୍ରଧାନ ଆଜି ଶଙ୍ଖଭବନରେ ବିଜେଡିରେ ଯୋଗ ଦେଇଛନ୍ତି। ମାହାଙ୍ଗା ବିଧାୟକ ପ୍ରତାପ ଜେନାଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଥିଲେ। ଏ ଅବସରରେ ଶ୍ରୀ ପ୍ରଧାନଙ୍କୁ ଉପଢୌକନ ଦେଇ ବିଜେଡିକୁ ସ୍ୱାଗତ କରାଯାଇଥିଲା।
ଶ୍ରୀ ପ୍ରଧାନଙ୍କ ଏହା ହେଉଛି ଘର ବାହୁଡ଼ା ଏବଂ ବିଜୁ ଜନତା ଦଳରେ ତାଙ୍କ ଯୋଗଦାନ ଫଳରେ ବିଶେଷକରି ଅନୁଗୁଳ ବ୍ଲକ ଏବଂ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ବିଧାୟକ ଶ୍ରୀ ଜେନା କହିଥିଲେ ।

ଏହି ଅବସରରେ ଦୁର୍ଗାଚରଣ ପ୍ରଧାନ କହିଥିଲେ, ମୁଁ ଦୀର୍ଘଦିନ ଧରି ବିଜେଡ଼ିରେ ଥିଲି, କିଛିଦିନ ପାଇଁ ବିଜେପିରେ ସାମିଲ ହୋଇଥିଲି। ବିଜେପିର କାର୍ଯ୍ୟଶୈଳୀ ମୋତେ ଭଲ ନ ଲାଗିବାରୁ ମୁଁ ପୁନର୍ବାର ବିଜେଡ଼ିକୁ ଫେରିବାକୁ ମନସ୍ଥ କଲି। ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟକଳାପ ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି ବୋଲି ସେ କହିଛନ୍ତି।

ମିଶ୍ରଣ ପର୍ବରେ ପୂର୍ବତନ ଉପବାଚସ୍ପତି ତଥା ଅନୁଗୁଳ ବିଧାୟକ ରଜନୀକାନ୍ତ ସିଂ, ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ, ଅନୁଗୁଳ ଜିଲ୍ଲା ସହ ପର୍ଯ୍ୟବେକ୍ଷକ କୁନବିହାରୀ ଦାସ, ଅନୁଗୁଳ ଜିଲ୍ଲା ସଭାପତି ମହେନ୍ଦ୍ର ବସ୍ତିଆ, ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply