ଅନୁଗୁଳ: ଅନୁଗୁଳ ଜିଲ୍ଲା ବଅଁରପାଳ ବ୍ଲକ୍ ସାନ୍ତରାପୁର ‘ଖ’ ପଞ୍ଚାୟତର ଇନ୍ଦିରାନଗର ସାହିରେ ଏକ ଅଭାବନୀୟ ଅଗ୍ନିକାଣ୍ଡ ଘଟି ଶ୍ରୀକାନ୍ତ ନାଏକଙ୍କର ତିନି ବଖରା ଚାଳ ଛପର ଘର ସମ୍ପୂର୍ଣ୍ଣ ରୂପେ ଜଳି ପାଉଁଶ ହୋଇଯାଇଛି।
ବୁଧବାର ଅପରାହ୍ନରେ ଶ୍ରୀକାନ୍ତ ଦିନ ମଜୁରୀ କାମ କରିବାକୁ ଯାଇଥିବା ବେଳେ ଘରେ ପରିବାର ଲୋକେ ଶୋଇଥିବା ସମୟରେ ନିଆଁ ଲାଗିଥିଲା। ନିଆଁର ପ୍ରକୋପ ଦେଖି ପରିବାର ଲୋକେ ତୁରନ୍ତ ଘରୁ ବାହାରି ଆସିବାରୁ ସମସ୍ତଙ୍କ ଜୀବନ ରକ୍ଷା ହୋଇଯାଇଛି। ତେବେ ଘରେ ଥିବା ସମସ୍ତ ଖାଦ୍ୟ ପଦାର୍ଥ ଓ ଆସବାବପତ୍ର ସମ୍ପୂର୍ଣ୍ଣ ଜଳି ନଷ୍ଟ ହୋଇଯାଇଛି।
ସ୍ଥାନୀୟ ଲୋକମାନେ ତୁରନ୍ତ ଅନୁଗୁଳ ଦମକଳ କେନ୍ଦ୍ରକୁ ଫୋନ୍ କରିଥିଲେ। ଦମକଳ ଗାଡ଼ି ପହଞ୍ଚି ଗ୍ରାମବାସୀଙ୍କ ସହାୟତାରେ ନିଆଁକୁ ଆୟତ୍ତ କରିଥିଲା। ଖବର ପାଇ ଫୁଲପଡ଼ା ରାଜସ୍ୱ ନିରୀକ୍ଷକ ଘଟଣାସ୍ଥଳରେ ପହଞ୍ଚି ଶ୍ରୀକାନ୍ତଙ୍କୁ ଏକ ପଲିଥିନ୍ ଯୋଗାଇ ଦେଇଛନ୍ତି।
ଶ୍ରୀକାନ୍ତଙ୍କର ପାଞ୍ଚ ପ୍ରାଣୀ କୁଟୁମ୍ବ ଥିବା ବେଳେ ଶୀତ ଋତୁରେ ସେମାନଙ୍କ ସୁରକ୍ଷାକୁ ନେଇ ଶ୍ରୀକାନ୍ତ ଏବେ ଚିନ୍ତାରେ ଅଛନ୍ତି। ଗ୍ରାମବାସୀମାନେ ତୁରନ୍ତ ସରକାରଙ୍କ ତରଫରୁ ଶ୍ରୀକାନ୍ତଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବାକୁ ନିବେଦନ କରିଛନ୍ତି।
