ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ପାତ୍ରପଡା ଗାଁର ଜଣେ ପତ୍ନୀହନ୍ତାଙ୍କୁ ଜିଲ୍ଲା ଦୌରା ଜଜ୍ଙ୍କ ଅଦାଲତରେ ଆଜୀବନ କାରାଦଣ୍ଡାଦେଶ ମିଳିଛି। ସୂଚନା ଯେ, ୨୦୦୩ ମସିହାରେ ପାତ୍ରପଡା ଗାଁର ଶଙ୍କର ସାହୁ ଅନୁଗୁଳ ସଦର ଥାନା ଅନ୍ତର୍ଗତ କୁମଣ୍ଡ ଗାଁର ସୁମତି ମାଝିଙ୍କୁ ବିବାହ କରିଥିଲେ। ବିବାହ ପରଠାରୁ ସୁମତିଙ୍କୁ ଶଙ୍କର ଓ ତାଙ୍କ ପରିବାର ଲୋକ ଯୌତୁକ ନିର୍ଯାତନା ଦେଇ ଆସୁଥିଲେ। ୨୦୧୪ ମସିହା ମାର୍ଚ୍ଚ ମାସ ୬ ତାରିଖରେ ଗାଁରେ ଶଙ୍କର କରିଥିବା ଏକ କୁକୁଡା ଫାର୍ମ ନିକଟରୁ ସୁମତିଙ୍କ ମୃତଦେହ ଉଦ୍ଧାର ହୋଇଥିଲା। କେହି ତାଙ୍କ ତଣ୍ଟି କାଟି ହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଥିଲା। ସୁମତିଙ୍କୁ ତାଙ୍କ ସ୍ଵାମୀ ଓ ପରିବାର ଲୋକ ହତ୍ୟା କରିଥିବା ସୁମତିଙ୍କ ବାପା ବିଛନ୍ଦ ମାଝୀ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ପୁଲିସ ଥାନା କେସ ନଂ ୪୫/୨୦୧୪ରେ ଦଫା ୪୯୮(ଏ), ୩୦୨ ଓ ୩୪ରେ ଏକ ମାମଲା ରୁଜୁକରି ଘଟଣାର ତଦନ୍ତ କରି ଶଙ୍କରଙ୍କୁ ହତ୍ୟା ଓ ପରିବାର ଲୋକଙ୍କୁ ଯୌତୁକ ନିର୍ଯାତନା ଅଭିଯୋଗରେ ଗିରଫ କରିଥିଲା। ଏହି ମାମଲାର ବିଚାରକରି ୧୬ ଜଣ ସରକାରୀ ଓ ୪ ଜଣ ସଫେଇ ସାକ୍ଷୀଙ୍କ ବୟାନ ଓ ଦଲିଲ ଆଧାରରେ ଶଙ୍କରଙ୍କୁ ସ୍ତ୍ରୀ ହତ୍ୟା କରିଥିବା ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରିଥିଲେ। ବୁଧବାର ଜିଲ୍ଲା ଦୌରା ଜଜ୍ ଡା.ଭାଗ୍ୟଲକ୍ଷ୍ମୀ ରଥ ଶଙ୍କରଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ସରକାରୀ ଓକିଲ ପ୍ରଦୀପ କୁମାର ଦାଶ ଓ ସହକାରୀ ସରକାରୀ ଓକିଲ ପ୍ରଦୀପ କୁମାର ଭୁତିଆ ଏହି ମାମଲା ପରିଚାଳନା କରିଥିଲେ।
ପତ୍ନୀହନ୍ତାକୁ ଆଜୀବନ କାରାଦଣ୍ଡ
- Post published:August 25, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
