ଅନୁଗୁଳ: ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସାଧାରଣ ଲୋକଙ୍କୁ ଶୋଷରୁ ଆଶ୍ୱସ୍ତି ଦେବା ପାଇଁ ‘ଆମ ଅନୁଗୁଳ ଆମ ଗୌରବ’ ଜନ ଅନୁଷ୍ଠାନ ପକ୍ଷରୁ ଏକ ମହତ ପଦକ୍ଷେପ ନିଆଯାଇଛି। ଗୁରୁବାର ଦିନ ସ୍ଥାନୀୟ ବଜାର ଛକ ନିକଟରେ ଅନୁଷ୍ଠାନ ପକ୍ଷରୁ ଏକ ଥଣ୍ଡା ପାନୀୟ ଜଳଛତ୍ର ସ୍ଥାପନ କରାଯାଇଛି। ଅନୁଷ୍ଠାନର ସଭାପତି ଚନ୍ଦ୍ରକାନ୍ତ ଧଳଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ଅନୁଗୁଳ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିଲେ।
ଏହି ଅବସରରେ ପଥିକ ଓ ସାଧାରଣ ଜନତାଙ୍କୁ ଦହି ସରବତ ବଣ୍ଟନ କରାଯାଇଥିଲା। ବ୍ୟସ୍ତବହୁଳ ବଜାର ଅଞ୍ଚଳରେ ଏହି ଶୁଦ୍ଧ ପାନୀୟ ଜଳର ବ୍ୟବସ୍ଥାକୁ ବିଧାୟକ ଓ ସ୍ଥାନୀୟ ଲୋକେ ଉଚ୍ଚ ପ୍ରଶଂସା କରିଛନ୍ତି। କାର୍ଯ୍ୟକ୍ରମରେ ପୌରପାଳିକା ନିର୍ବାହୀ ଅଧିକାରୀ ସତ୍ୟ ପ୍ରକାଶ ତ୍ରିପାଠୀ, ଜିଲ୍ଲା ବାଣିଜ୍ୟ ଓ ଶିଳ୍ପ ପ୍ରତିଷ୍ଠାନ ଅଧ୍ୟକ୍ଷ ଅଶୋକ କୁମାର ଜୈନ୍ଙ୍କ ସମେତ ଅନୁଷ୍ଠାନର ବହୁ ପଦାଧିକାରୀ ଉପସ୍ଥିତ ଥିଲେ। ସମଗ୍ର ଗ୍ରୀଷ୍ମ ଋତୁରେ ଏହି ସେବା ଜାରି ରହିବ ବୋଲି ସଭାପତି ଶ୍ରୀ ଧଳ ସୂଚନା ଦେଇଛନ୍ତି। ସାମାଜିକ ସେବା ଲକ୍ଷ୍ୟରେ କରାଯାଇଥିବା ଏହି କାର୍ଯ୍ୟକ୍ରମରେ ସୁଧୀର ରଞ୍ଜନ ସାହୁ, ଭୂପେଶ ପ୍ରଧାନ ଓ ଅନ୍ୟ ସଦସ୍ୟମାନେ ସହଯୋଗ କରିଥିଲେ।










