ତାଳଚେର : ବକେୟା ଦରମା ସହ ବୋନସ ଦାବିରେ ଆଜି ତାଳଚେର ପୌର ପରିଷଦର ଠିକା ସଫେଇ କର୍ମଚାରୀ ବିକ୍ଷୋଭ କରିଛନ୍ତି। ଏଥିସହ ଦୀର୍ଘ ସମୟ ଯାଏଁ କାର୍ଯ୍ୟାଳୟ ସାମ୍ନାରେ ଧାରଣା ଦେଇଛନ୍ତି। ଫଳରେ ଅଞ୍ଚଳରେ ସଫେଇ କାର୍ଯ୍ୟ ଏକ ପ୍ରକାର ଠପ୍ ହୋଇଯାଇଛି। ସହର ସାରା କୁଢ଼ କୁଢ଼ ଅଳିଆ ଗଦା ହୋଇଛି। ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଯୋଗୁଁ ପୂଜା ସମୟରେ ସହର ଗନ୍ଧ ଛାଡ଼ୁଛି। ଫଳରେ ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି।
ସୂଚନା ମୁତାବକ, ତାଳଚେର ପୌରପରିଷଦରେ ୩୧ ଜଣ ସ୍ଥାୟୀ ଏନଏମ୍ଆର ଏବଂ ୧୩୨ ଜଣ ଅସ୍ଥାୟୀ କର୍ମଚାରୀ ଅଛନ୍ତି। ଗତ ଦେଢ଼ ମାସ ହେଲା ଏହି କର୍ମଚାରୀମାନେ ଦରମା ପାଇ ନାହାନ୍ତି। ପୂଜା ବେଳେ ମଧ୍ୟ ସେମାନଙ୍କୁ ବୋନସ ଦିଆଯାଇନାହିଁ। ଏ ନେଇ ଅଭିଯୋଗ କଲେ ବି କେହି ଶୁଣୁନାହାନ୍ତି। ତେଣୁ ବାଧ୍ୟ ହୋଇ ଆଜି ଶତାଧିକ କର୍ମଚାରୀ ଅଳିଆ ସଫା ନ କରି ଅଫିସ ଆଗରେ ଧାରଣା ଦେଇଛନ୍ତି। ସେମାନଙ୍କ ସହ ୧୬ ନମ୍ବର ୱାର୍ଡର କାଉନସିଲର ସ୍ୱାଧୀନ ଥମ୍ବ ମଧ୍ୟ ସାମିଲ ହୋଇଥିଲେ। ତେବେ ତୁରନ୍ତ ତାଙ୍କ ସମସ୍ୟା ସମାଧାନ ନହେଲେ ସେମାନେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଧାରଣାରେ ବସିବେ ଓ ସଫେଇରେ ସହଯୋଗ କରିବେ ନାହିଁ ବୋଲି ଚେତାବନୀ ଦେଇଛନ୍ତି। ତେବେ ଏ ନେଇ ପୌର ଅଧିକାରୀ କୌଣସି ମତ ଦେଇନଥିବା ଜଣାଯାଇଛି।