ବଅଁରପାଳରେ ମିଳିତ ଜନ ଶୁଣାଣି ଶିବିର: ୫୯ ଅଭିଯୋଗ ମଧ୍ୟରୁ ୧୦ଟିର ହେଲା ଫଇସଲା

0

ଅନୁଗୁଳ: ଆଜି ପୂର୍ବାହ୍ନରେ ବଅଁରପାଳ ବ୍ଲକ ଅଫିସଠାରେ ମିଳିତ ଜନ ଶୁଣାଣି ଶିବିର ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି। ଦାଖଲ ହୋଇଥିବା ସମୁଦାୟ ୫୯ଟି ଅଭିଯୋଗରୁ ୫୨ଟି ବ୍ୟକ୍ତିଗତ ଓ ୭ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସମ୍ପୃକ୍ତ ବିଭାଗୀୟ ଅଧିକାରୀଙ୍କୁ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। ଏଥିସହ ସମସ୍ତ ଜିଲ୍ଲାସ୍ତରୀୟ ଅଧିକାରୀ ନିଜ ନିଜର ବିଭାଗୀୟ କାର୍ଯ୍ୟାଳୟକୁ ନିରୀକ୍ଷଣ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ।

ଦାଖଲ ହୋଇଥିବା ୫୯ ଅଭିଯୋଗ ମଧ୍ୟରୁ ୧୦ଟି ଅଭିଯୋଗର ଆଜିର ଶିବିରରେ ଫଇସଲା କରାଯାଇଥିଲା। ଶିବିରକୁ ଆସିଥିବା ଲୋକମାନେ ରାସ୍ତା, ଜମିଜମା ବିବାଦ, ଭୂମିହୀନ, ରାସନ କାର୍ଡ, ପାରିବାରିକ ସମସ୍ୟା, ବିଜୁଳି ସମସ୍ୟା, ବାସଗୃହ ସମ୍ପର୍କିତ ସମସ୍ୟା ସମେତ ବିଭିନ୍ନ ଅଭିଯୋଗ ଦାଖଲ କରିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଅନୁଗୁଳ ଆରକ୍ଷୀ ଅଧୀକ୍ଷକ ସୁଧାଂଶୁ ଶେଖର ମିଶ୍ର, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସନ୍ତୋଷ କୁମାର ପ୍ରଧାନ, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଳିତ ମୋହନ ବେହେରା, ଉପଜିଲ୍ଲାପାଳ ବଇତୁରା ଦୀପ୍, ବଅଁରପାଳ ବିଡିଓ ଏଲିଜା ମିଶ୍ର, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ବାସ୍ଥ୍ୟ ଅଧିକାରୀ ଡା. ତ୍ରିଲୋଚନ ପ୍ରଧାନ, ଜିଲ୍ଲା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଡେପୁଟି କଲେକ୍ଟର ମିନର୍ଭା ନାୟକ ଓ ସତ୍ୟାନନ୍ଦ ଦାସଙ୍କ ସମେତ ବିଭିନ୍ନ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ।

Leave A Reply

Your email address will not be published.

error: Content is protected !!