ଅନୁଗୁଳରେ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର: ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ ଜଣଙ୍କୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ
ଅନୁଗୁଳ: ମଙ୍ଗଳବାର ଜିଲ୍ଲାପାଳ ମହମ୍ମଦ ଅଦ୍ଦାଲ୍ ଅଖତରଙ୍କ ଅଧ୍ୟକ୍ଷତାରେ ଛେଣ୍ଡିପଦା ବ୍ଲକ କାର୍ଯ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ମିଳିତ ଜନଶୁଣାଣି ଅନୁଷ୍ଠିତ ହୋଇଛି। ଶିବିରରେ ସମୁଦାୟ ୨୦୯ଟି ଅଭିଯୋଗ ଗ୍ରହଣ କରାଯାଇଥିବା ବେଳେ ସେଥିମଧ୍ୟରୁ ୨୦୨ଟି ବ୍ୟକ୍ତିଗତ ଓ ୦୭ଟି ଗ୍ରାମ୍ୟ ଭିତ୍ତିକ ଅଭିଯୋଗର ଶୁଣାଣି ହୋଇଥିବା ବେଳେ ୦୪ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ୨ଜଣଙ୍କୁ ୧୫ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଥିଲା।
କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ମହାପାତ୍ର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ହେମନ୍ତ କୁମାର ସିଂହ, ଅତିରିକ୍ତ ଆରକ୍ଷୀ ଅଧ୍ୟକ୍ଷକ ଅନିଲ କୁମାର ବେଉରିଆ, ଜିଲ୍ଲା ମୁଖ୍ୟ ଚିକିତ୍ସା ଓ ଜନ ସ୍ୱାସ୍ଥ୍ୟ ଅଧିକାରୀ ଡ.ଶିବାନନ୍ଦ ମହାନ୍ତି, ଉପଜିଲ୍ଲାପାଳ ବରଣ୍ୟନ୍ଦୁ ମହାନ୍ତି, ଛେଣ୍ଡିପଦା ଗୋଷ୍ଠୀ ଉନ୍ନୟନ ଅଧିକାରୀ ତ୍ରିବିକ୍ରମ କୁମୁରା, ଛେଣ୍ଡିପଦା ତହସିଲଦାର ମାନସ ରାଏଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।
ସେହିପରି ଅନୁଗୁଳ ଜିଲ୍ଲା କାର୍ଯ୍ୟାଳୟଠାରେ ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମୟଙ୍କ ଅଧ୍ୟକ୍ଷତାରେ ଜନଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦର ଅତିରିକ୍ତ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପଦ୍ମନାଭ ସାମନ୍ତରାୟ, ଅତିରିକ୍ତ ଜିଲ୍ଲା ଜନସ୍ବାସ୍ଥ୍ୟ ଅଧିକାରୀ ଡ. ବିଶ୍ବ ବିହାରି ମହାନ୍ତି, ସହକାରୀ ଜିଲ୍ଲାପାଳ ପ୍ରତାପ ହରି ପ୍ରଧାନ, ଅତିରିକ୍ତ ଶିକ୍ଷା ଅଧିକାରୀ ପ୍ରତିଭା ବାରିକଙ୍କ ସମେତ ଜିଲ୍ଲା ସ୍ତରୀୟ ଅଧିକାରୀମାନେ ଯୋଗ ଦେଇଥିଲେ।