ଅନୁଗୁଳ : ପୁଣି ଆନ୍ଦୋଳନକୁ ଓହ୍ଲାଇବେ ତାଳଚେର ସୋଲଡା ଗ୍ରାମର ଜମିହରା ପ୍ରଜା ସୁରେଶ ବେହେରା । ଗତ ଡିସେମ୍ବର ୧୩ ତାରିଖ ଦିନ ସେ ଓ ତାଙ୍କ ପୁଅ ଜିଲ୍ଲା କାର୍ଯ୍ୟାଳୟ ସମ୍ମୁଖରେ ଆତ୍ମାହୁତି ଉଦ୍ୟମ କରିଥିଲେ । କୋଇଲା ଖଣି ପାଇଁ ଏମସିଏଲ୍ ଜମି ନେଲା, ହେଲେ ଚାକିରି ଦେବାରେ କୁନ୍ଥକୁନ୍ଥ ହେବାରୁ ଅତିଷ୍ଠ ହୋଇ ସେ ଏହି ଚରମ ନିଷ୍ପତ୍ତି ନେଇଥିଲେ । ଦେହରେ କିରାସିନି ଢାଳିବା ବେଳେ ପୁଲିସ୍ ଉଭୟଙ୍କୁ ଧରି ନେଇଥିଲେ । ପରେ ଜିଲ୍ଲାପାଳ ଉଭୟଙ୍କ ସହ ଆଲୋଚନା କରିଥିଲେ । ଜାନୁଆରୀ ପ୍ରଥମ ସପ୍ତାହରେ ସବ୍ କମିଟିରେ ଆଲୋଚନା କରାଇ ସେମାନଙ୍କ ସମସ୍ୟା ସମାଧାନ କରିବେ ବୋଲି ଜିଲ୍ଲାପାଳ ପ୍ରତିଶ୍ରୁତି ଦେଇଥିଲେ । ମାତ୍ର ଏହି ପ୍ରତିଶ୍ରୁତି ପାଣିର ଗାର ପାଲଟିଛି । ଜାନୁଆରୀ ପ୍ରଥମ ସପ୍ତାହ ଯାଇ ଫେବ୍ରୁଆରୀ ପ୍ରଥମ ସପ୍ତାହ ବିତିଲାଣି, କିନ୍ତୁ ସେମାନଙ୍କୁ ହକ୍ ମିଳିନି । ତେଣୁ ବାଧ୍ୟ ହୋଇ ପୁଣିଥରେ ଆତ୍ମାହୁତି ଦେବେ ବୋଲି ସୁରେଶ ଚେତାବନୀ ଦେଇଛନ୍ତି । ସୋମବାର ଜିଲ୍ଲାପାଳଙ୍କୁ ଭେଟିଏହି ମର୍ମରେ ଅବଗତକରିଛନ୍ତି। ଚଳିତମାସ୨୦ ତାରିଖ ସୁଦ୍ଧା ନ୍ୟାୟ ନମିଳିଲେ ସେ ଚରମ ପନ୍ଥା ଆପଣାଇବେ ବୋଲି କହିଛନ୍ତି ।