ଅନୁଗୁଳ: ଅନୁଗୁଳ ଜିଲ୍ଲା ସାହିତ୍ୟ ସଂସଦ ପକ୍ଷରୁ ବିଷୁବ ମିଳନ ଉତ୍ସବ ସ୍ଥାନୀୟ ରୋଟାରୀ ପବ୍ଲିକ ସ୍କୁଲ ଠାରେ ଅନୁଷ୍ଠିତ ହୋଇଛି। ଏ ଅବସରରେ କବୟିତ୍ରୀ ଶାନ୍ତିଲତା ରଥଙ୍କ ଶିଶୁ-କିଶୋର କବିତା ସଂକଳନ “କବିତା ପଢ଼ ଆଗକୁ ବଢ଼” ପୁସ୍ତକ ଉନ୍ମୋଚିତ ହୋଇଛି। ଏଥିରେ ୫୮ଟି ଶିଶୁ କବିତା ସ୍ଥାନିତ ହୋଇଛି। ଏହା କବୟିତ୍ରୀଙ୍କ ସପ୍ତମ ପୁସ୍ତକ ସଂକଳନ।
ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ନାଟ୍ୟକାର ଡ. ବିଜୟ କୁମାର ଶତପଥୀ, ସମ୍ମାନିତ ଅତିଥି ନିଖିଲ ରଞ୍ଜନ ମିଶ୍ର, ସଂସଦର ସଭାପତି କୁମୁଦ ଚନ୍ଦ୍ର ଦାଶ, ସମ୍ପାଦକ ରାଧାକାନ୍ତ ମହାନ୍ତି, ପ୍ରଫେସର ଶାନ୍ତନୁ କୁମାର ସର, ଅବସରପ୍ରାପ୍ତ ପ୍ରଧ୍ୟାପିକା ଡଃ ଇନ୍ଦିରା ଦାଶ, ବ୍ୟଙ୍ଗକବି ବୈରାଗୀ ମଲିକ, ଗୀତାମୟୀ ମହାପାତ୍ରଙ୍କ କର କମଳରେ ପୁସ୍ତକଟି ଉନ୍ମୋଚନ ହୋଇଛି। ପୂର୍ବରୁ କବୟିତ୍ରୀ ଶ୍ରୀମତୀ ରଥଙ୍କ ଲିଖିତ ‘ଶ୍ରଦ୍ଧାଞ୍ଜଳି’, ‘ଶ୍ରଦ୍ଧା ସୁମନ’, ‘ଜୀବନ ପଥ’, ‘ପୁଷ୍ପାଞ୍ଜଳି’, ‘ଭିନ୍ନ ପୃଥିବୀ’, ‘ନୀଡ଼ ଓ ଆକାଶ’ ଆଦି ପୁସ୍ତକ ବେଶ୍ ପାଠକୀୟ ଆଦୃତି ଲାଭ କରିଛି। ପ୍ରକାଶକ ଜୟନ୍ତ କୁମାର କରଙ୍କ ସମେତ ବହୁ ସାହିତ୍ୟିକ ଓ ବୁଦ୍ଧିଜୀବୀ ଉପସ୍ଥିତ ଥିଲେ।


