ତାଳଚେରର ବିଭିନ୍ନ ସ୍ଥାନରେ ମହାସମାରୋହରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ

You are currently viewing ତାଳଚେରର ବିଭିନ୍ନ ସ୍ଥାନରେ ମହାସମାରୋହରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ

ଅନୁଗୁଳ: ତାଳଚେର ବ୍ଲକ ଅନ୍ତର୍ଗତ ବହୁ ପୁରାତନ ହାଣ୍ଡିଧୁଆଁ, ଡେରା, ନନ୍ଦିରା, ଦେଉଳବେଡ଼ା ଏବଂ ଚମ୍ପାପଶି ଆଦି ଅଞ୍ଚଳରେ ମହା ଆଡ଼ମ୍ବର ସହକାରେ ମା’ ଶ୍ୟାମାକାଳୀଙ୍କ ପୂଜା ଅନୁଷ୍ଠିତ ହୋଇଯାଇଛି।

ସକାଳୁ ଖଣିର କର୍ମଚାରୀ ଓ କର୍ତ୍ତା ଭାବେ ପ୍ରକଳ୍ପ ଅଧିକାରୀ ପ୍ରଶାନ୍ତ ସାହୁ ପତ୍ନୀ ରଶ୍ମିତା ସାହୁଙ୍କ ସହ ନିକଟସ୍ଥ ନଦୀରୁ କଳସରେ ଜଳ ଆଣି ମା’ଙ୍କ ମଣ୍ଡପରେ ସ୍ଥାପନ କରିବା ପରେ ବିଭିନ୍ନ ଉପଚାରରେ ପୂଜା ଆରମ୍ଭ ହୋଇଥିଲା। ବିଳମ୍ବିତ ରାତ୍ରିରେ ମା’ଙ୍କ ମୃଣ୍ମୟୀ ମୂର୍ତ୍ତିକୁ ଜୀବନ୍ୟାସ ଦିଆଯାଇ ଶୋଡ଼ଷ ଉପଚାରରେ ପୂଜାର୍ଚ୍ଚନା କରାଯାଇଥିଲା। ପଣ୍ଡିତ ମନୋଜ ଶତପଥୀ, ଦୁର୍ଗାମାଧବ ଆଚାର୍ଯ୍ୟ ପ୍ରମୁଖ ରୀତିନୀତି ଅନୁସାରେ ପୂଜାକାର୍ଯ୍ୟ ସମ୍ପାଦନ କରିଥିଲେ। ମ୍ୟାନେଜର ସୌଭାଗ୍ୟ ପ୍ରଧାନ, କର୍ମଚାରୀ ନେତା ନୃସିଂହ ମହାନ୍ତି, ଅମୂଲ୍ୟ କ୍ରିଷ୍ଣ ମିଶ୍ର, ପ୍ରଶାନ୍ତ ସାହୁ ପ୍ରମୁଖ ଉପସ୍ଥିତ ରହି ପୂଜାରେ ସହଯୋଗ କରିଥିବା ବେଳେ ଶହଶହ ଶ୍ରଦ୍ଧାଳୁ ମା’ଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ।

ସେହିପରି ଏମ୍‌ସିଏଲ୍ ନନ୍ଦିରା କଲିୟରୀ ପକ୍ଷରୁ ମଧ୍ୟ ମା’ ଶ୍ୟାମାକାଳୀଙ୍କ ପୂଜା ମହାସମାରୋହରେ ପାଳିତ ହେଉଛି। ନନ୍ଦିରା କାଳୀମଣ୍ଡପ ପଡ଼ିଆରେ ଅନୁଷ୍ଠିତ ଏହି ଅନନ୍ୟ ପୂଜାରେ ସୋମବାର ସନ୍ଧ୍ୟାରେ କଳସଯାତ୍ରା, ମୃଣ୍ମୟୀ ପ୍ରତିମାରେ ଜୀବନ୍ୟାସ, ପ୍ରାଣ ପ୍ରତିଷ୍ଠା, ଚକ୍ଷୁଦାନ, ମାତୃକା ପୂଜା, ଚଣ୍ଡୀ ଯଜ୍ଞ ପ୍ରଭୃତି ପାରମ୍ପରିକ ବିଧି ବିଧାନ ଅନୁଯାୟୀ ସମାପନ କରାଯାଇଛି।

ଏଠାରେ ୯୦ ଫୁଟ ଉଚ୍ଚତା ଓ ୮୦ ଫୁଟ୍ ଚଉଡ଼ା ବିଶିଷ୍ଟ ସଦୃଶ୍ୟ ତୋରଣ ସହ ଅତ୍ୟାଧୁନିକ ଏଲ୍‌ଇଡି ଲାଇଟ୍‌ରେ ଆକର୍ଷଣୀୟ ଆଲୋକସଜ୍ଜା କରାଯାଇଛି, ଯାହା ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରୁଛି। ପଡ଼ିଆରେ ମୀନାବଜାର, ବିଭିନ୍ନ ପ୍ରକାର ଦୋଳି, ଫାଷ୍ଟଫୁଡ୍, ଖେଳଣା ଏବଂ ଘରକରଣା ଜିନିଷର ଷ୍ଟଲମାନ ଶୋଭା ପାଉଛି। ଭିଡ଼ ନିୟନ୍ତ୍ରଣ ପାଇଁ ସ୍ଥାନୀୟ ପୋଲିସ୍ ଓ ଏମ୍‌ସିଏଲ୍ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବ୍ୟାପକ ସୁରକ୍ଷାକର୍ମୀ ମୁତୟନ କରାଯିବା ସହ ଅସାମାଜିକ କାର୍ଯ୍ୟକଳାପ ରୋକିବା ପାଇଁ ସିସିଟିଭି କ୍ୟାମେରା ଲଗାଯାଇଛି।

ଦର୍ଶକଙ୍କ ମନୋରଞ୍ଜନ ନିମନ୍ତେ ଚାରିଦିନ ଧରି ଯାତ୍ରା, ଭଜନ ସନ୍ଧ୍ୟା ଆଦି ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଉଛି। ଚଳିତ ମାସ ୨୬ ତାରିଖ ଦିନ ମା’ ଶ୍ୟାମାକାଳୀଙ୍କ ଭସାଣି ଉତ୍ସବ ଅନୁଷ୍ଠିତ ହେବ ବୋଲି ପୂଜା କମିଟି ପକ୍ଷରୁ ସୂଚନା ଦିଆଯାଇଛି। ନନ୍ଦିରା କାଳୀ ପୂଜା କମିଟିର କର୍ମକର୍ତ୍ତାମାନେ ଏହି ଉତ୍ସବରେ ସକ୍ରିୟ ସହଯୋଗ କରୁଛନ୍ତି।

Share

Leave a Reply