ଅନୁଗୁଳ: ଲକ୍ଷ୍ମୀପୂଜାର ଭଷାଣି ସରୁ ସରୁ ସହରରେ କାଳୀପୂଜା ଆରମ୍ଭ ହୋଇଛି। ଅନୁଗୁଳ ବସ ଷ୍ଟାଣ୍ଡ, ହେମସୁରପଡା, ଡେଲି ମାର୍କେଟ, ଇରିଗେସନ କଲୋନୀ ଛକ ଆଦି ଅଞ୍ଚଳରେ ସୁଦୃଶ୍ୟ ମେଢ଼ ସାଙ୍ଗକୁ ଆଲୋକ ତୋରଣ କରାଯାଇଛି। ମଣ୍ଡପ ଗୁଡିକରେ ଚଣ୍ଡୀପାଠ ସାଙ୍ଗକୁ ଷୋଡଶ ଉପଚାରରେ ପୂଜାର୍ଚନା କରାଯାଉଛି ।
ପୁରାଣ କଥା ଅନୁସାରେ ଶୁମ୍ଭ-ନିଶୁମ୍ଭ ନାମକ ଦୁଇ ଦୈତ୍ୟଙ୍କୁ ମାରିବା ପାଇଁ ଜଗତଜନନୀ ମା ଦୁର୍ଗା ମହାକାଳୀ ଉଗ୍ର ରୂପ ଧାରଣ କରିଥିଲେ।ଦୈତ୍ୟଙ୍କ ରକ୍ତ ତଳେ ପଡିବା କ୍ଷଣି ସେଥିରୁ ପୁଣି ଦୈତ୍ୟ ସୃଷ୍ଟି ହେଉଥିଲେ। ଦେବୀ ନିଜ ଶରୀରରୁ ଲକ୍ଷ ଲକ୍ଷ ଚଣ୍ଡୀ ଚାମୁଣ୍ଡା ବାହାର କରି ଦୈତ୍ୟଙ୍କ ରକ୍ତ ତଳେ ପଡିବା ପୂର୍ବରୁ ତାକୁ ଶୋଷି ନେବାର ବ୍ୟବସ୍ଥା କରିଥିଲେ।ସବୁ ଅସୁରଙ୍କୁ ନାଶ ପରେ ଦେବୀ ଆହୁରି ରକ୍ତମୁଖା ତଥା ଉନ୍ମତ୍ତ ହୋଇ ଦୌଡୁ ଥିବାବେଳେ ଆତଙ୍କିତ ଦେବତା ମାନଙ୍କୁ ରକ୍ଷା କରିବା ପାଇଁ ଦେବ ଦେଵ ମହାଦେବ ମା କାଳୀଙ୍କ ରାସ୍ତାକୁ ଅବରୋଧ କରିଥିଲେ।ଏତିକିରେ ଦେବୀଙ୍କ ରାଗ ଥଣ୍ଡା ପଡି ଯାଇଥିଲା ଏବଂ ସେ ପୁଣି ସୌମ୍ୟ ଦର୍ଶନା ଦେବୀ ସ୍ୱରୂପ ଧାରଣ କରିଥିଲେ । ସେହି ଦିନ ଠାରୁ ଦେବୀ ମହାକାଳୀଙ୍କ ଆରାଧନା ମର୍ତ୍ୟରେ ଚାଲି ଆସିଛି।