ପାଳଲହଡ଼ା: ସ୍ୱାଧୀନତାର ଦୀର୍ଘବର୍ଷ ପରେ ବି ବିକାଶ ଠାରୁ ବହୁ ଦୂରରେ ପାଳଲହଡା ବ୍ଲକ ନମପସୀ ପଞ୍ଚାୟତର କଣ୍ଟାନାଳି ଗାଁ। ଏହି ଗାଁକୁ ଯିବାକୁ ଭଲ ଖଣ୍ଡେ ରାସ୍ତାଟେ ବି ନାହିଁ। ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ତିନି କିଲୋମିଟର ଦୂରରେ ଥିବା ଏହି ଗାଁର ଲୋକେ ଆଜି ଯାଏଁ ପକ୍କା ରାସ୍ତାରେ ଯିବା ସୁଯୋଗ ପାଇଲେ ନାହିଁ। ଆଉ ଯୋଉ ମାଟି ରାସ୍ତା ରହିଛି ବର୍ଷା ଦିନେ ସେଠି ପାଦ ବି ପକାଇବା ବି ସମ୍ଭବ ନୁହେଁ। ସାମାନ୍ୟ ବର୍ଷାରେ ରାସ୍ତାରେ ଆଣ୍ଠୁଏ କାଦୁଅ ଜମା ହୋଇଯାଏ। ଏହି ସମୟରେ ଗାଡ଼ି ମଟର ତ ଦୂରର କଥା ଚାଲିକି ଯିବା ବି କାଠିକର ପାଠ ହୋଇଯାଏ। ତଥାପି ଲୋକମାନେ ତଥା ଛାତ୍ରଛାତ୍ରୀ ଏହି ରାସ୍ତା ଦେଇ ପ୍ରତିଦିନ ଯାତାୟାତ କରିଥାନ୍ତି।
ସେହିପରି ଏହି ଗାଁକୁ ଯିବାକୁ ହେଲେ ଏକ ନାଳ ପାରି ହୋଇ ଯିବାକୁ ପଡ଼ିଥାଏ। ଖରାଦିନେ ଯେମିତି ସେମିତି କରି ଲୋକମାନେ ଯିବା ଆସିବା କରିଥାନ୍ତି। କିନ୍ତୁ ବର୍ଷା ହୋଇ ନାଳରେ ପାଣି ବଢ଼ିଲେ ଗମନାଗମନ ପୂରା ଠପ୍ ହୋଇଯାଏ। ଏହି ନାଳରେ ପୋଲ କରିବାକୁ ଦୀର୍ଘ ବର୍ଷ ହେଲାଣି ଗାଁ ଲୋକେ କହି ଆସୁଥିଲେ ମଧ୍ୟ ନା ସରକାର ଶୁଣୁଛନ୍ତି ନା ପ୍ରଶାସନ।
ନିର୍ବାଚନ ଜିତିଲେ ପୋଲ ତିଆରି କରିବେ ବୋଲି ପାଳଲହଡ଼ା ପୂର୍ବତନ ବିଜେପି ବ୍ଲକ୍ ଅଧ୍ୟକ୍ଷ ତଥା ବର୍ତ୍ତମାନର ବିଜେଡି ବିଧାୟକ ମୁକେଶ କୁମାର ପାଳ ପ୍ରତିଶ୍ରୁତି ଦେଇଥିଲେ। ଜମାରା ଛକ ଠାରୁ କଣ୍ଟାନାଳି ଗ୍ରାମକୁ ରାସ୍ତା ନିର୍ମାଣ କରିବେ ବୋଲି ସେ କଥା ଦେଇ ଥିଲେ। କିନ୍ତୁ ଆଜିଯାଏଁ ତାଙ୍କ କଥା କେବଳ କଥାରେ ହିଁ ରହି ଯାଇଛି। ନିକଟରେ ୭ ତାରିଖ ଦିନ ନମପଶି ପଞ୍ଚାୟତର ପ୍ରତ୍ୟେକ ଗାଁକୁ ଯାଇ ବିଜୁ ଜନତା ଦଳର ବରିଷ୍ଠ କାର୍ଯ୍ୟକର୍ତ୍ତାଙ୍କ ସହିତ ନିଜେ ବିଧାୟକ ବିଜେଡିର ଜନ ସମ୍ପର୍କ ପଦ ଯାତ୍ରା କରୁଥିଲେ। ସେହି ସମୟରେ ସ୍ଥାନୀୟ ବାସିନ୍ଦା ବିଧାୟକଙ୍କ ବିକାଶ ଉପରେ ପ୍ରଶ୍ନ କରିଥିଲେ। କିନ୍ତୁ ଜନତାଙ୍କ ପ୍ରଶ୍ନର ଉତ୍ତର ଦେଇନପାରି ବିଧାୟକ କୋଭିଡ ପାଇଁ ବିକାଶ ଅଟକି ଥିବା କଥା କହି କଥା ଟାଳି ଦେଇଥିଲେ। ତେବେ ଏହି ଗାଁରେ ବିକାଶ କେବେ ପହଞ୍ଚୁଛି ତାହା ଦେଖିବାକୁ ବାକି ରହିଲା।