ଅନୁଗୁଳ : କୋଇଲା ଟ୍ରକ ଅଟକାଇବା ଘଟଣାକୁ ନେଇ ଜଣେ ସରପଞ୍ଚ କଳିୟାରୀ ଥାନା ବଲଣ୍ଡା ଫାଣ୍ଡି ଅଧିକାରୀଙ୍କୁ ସର୍ବସମ୍ମୁଖରେ ମାଡ଼ ମାରି ଲହୁ ଲୁହାଣ କରି ଦେଇଛନ୍ତି।
ସୂଚନା ମୁତାବକ, ଶନିବାର ରାତିରେ ଫାଣ୍ଡି ଅଧିକାରୀ ସାରଦା ପ୍ରସାଦ ସାମନ୍ତ ଏକ ଚୋରା କୋଇଲା ଟ୍ରକକୁ ଗୁରୁଦ୍ୱାର ନିକଟରେ ଅଟକାଇ ଥିଲେ ଓ ଗାଡ଼ିରେ କୋଇଲା ଚାଲାଣର କାଗଜପତ୍ର ନଥିବା ଡ୍ରାଇଭର ପୋଲିସକୁ କହିଥିଲା। ପରେ ଟ୍ରକ ଡ୍ରାଇଭର ଗାଡ଼ି ମାଲିକ ପଦ୍ମାବତୀପୁର ସରପଞ୍ଚ ମହରାଗା ବେହେରାଙ୍କୁ ଘଟଣାସ୍ଥଳକୁ ଡକାଇଥିଲେ। ମହରାଗା ପହଞ୍ଚି ଗାଡ଼ି ଛାଡି ଦେବାକୁ ପୋଲିସକୁ କହିଥିଲେ। କିନ୍ତୁ ପୋଲିସ ଅଧିକାରୀ ମନା କରିବାରୁ ଗାଡି ମାଲିକ ଜବରଦସ୍ତ ଗାଡ଼ି ନେବାକୁ ଉଦ୍ୟମ କରିଥିଲେ। ପୋଲିସ ଏହାକୁ ବିରୋଧ କରିଥିଲେ। ଫଳରେ ଗାଡ଼ି ମାଲିକ ୨ ଜଣ ଗୁଣ୍ଡାଙ୍କୁ ଡକାଇଥିଲେ। ସେମାନେ ଆସିବା ପରେ ୩ ଜଣଯାକ ମିଶି ଫାଣ୍ଡି ଅଧିକାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ମାଡ଼ ମାରିବା ସହ ମୋବାଇଲ ଛଡାଇନେଇଥିଲେ।
ଏହା ପରେ ସରପଞ୍ଚ ଫେରାର ହୋଇଯାଇଥିବା ଜଣାଯାଇଛି। ପୋଲିସ ଟ୍ରକ ସହ ତାଙ୍କର ଦୁଇ ସହଯୋଗୀ ବୌଦ୍ଧର ଆଶିଷ ସ୍ୱାଇଁ ଓ ଜରପଡ଼ାର ଲକ୍ଷ୍ମୀଧର ପ୍ରଧାନକୁ ଗିରଫ କରିଛି। ଏ ନେଇ ଥାନାରେ ୫୩୦/୨୨ ରେ ଏକ ମାମଲା ରୁଜୁ କରାଯାଇଛି। ତେବେ ସହରରେ ଚୋରି, ଡକାୟତି, ରାହଜାନୀ ପରେ ଏବେ ପୋଲିସକୁ ମାଡ଼ ଘଟଣା ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାର ନଗ୍ନ ଉଦାହରଣ ବୋଲି ଚର୍ଚ୍ଚା ହେଉଛି। ତୁରନ୍ତ ସମ୍ପୃକ୍ତ ସରପଞ୍ଚଙ୍କୁ ଗିରଫ କରିବାକୁ ଦାବି ଜୋର ଧରିଛି।