ତାଳଚେରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଗୋଟିଏ ରାତିରେ ୪ରୁ ଊର୍ଦ୍ଧ୍ବ ଲୁଟ୍

You are currently viewing ତାଳଚେରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ: ଗୋଟିଏ ରାତିରେ ୪ରୁ ଊର୍ଦ୍ଧ୍ବ ଲୁଟ୍

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେରରେ ସିରିଜ ଲୁଟ। ବିଳମ୍ବିତ ରାତିରେ ଲୁଟେରା ଗ୍ୟାଙ୍ଗ ବନ୍ଧୁକ ଦେଖାଇ ଫାଙ୍କା ଗୁଳି ଚାଳନା କରି ଲୁଟିଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ତାଳଚେର ସିଂହସାହି ଅଞ୍ଚଳର ଦୁଇ ଭାଇ କୌଣସି କାମରେ ସମ୍ବଲପୁର ଯାଇ ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ବାଘୁଆବୋଲ ରେଳ ଫାଟକ ପାଖରେ ୫ ରୁ ୬ ଜଣ ହାତରେ ମାରଣାସ୍ତ୍ର ଦେଖାଇ ଉଭୟଙ୍କୁ ଅଟକାଇ ଥିଲେ। ସେମାନେ ଗାଡ଼ି ନ ଅଟକାଇବାରୁ ଲୁଟେରା ଗ୍ୟାଙ୍ଗ ଫାଙ୍କା ଗୁଳି ଚାଳନା କରିବା ସହ ଗାଡ଼ିକୁ ପଥର ମାରିଥିଲେ। ଫଳରେ ଗାଡ଼ିର କାଚ ଭାଙ୍ଗିଯାଇଛି। ବୁଧବାର ସକାଳେ ତାଳଚେର ଥାନାରେ ଏ ନେଇ ଅଭିଯୋଗ ହୋଇଛି।

ସେହିପରି ଝାଡ଼ଖଣ୍ଡ ଅଞ୍ଚଳର ଅତୁଲ ଓ ତାଙ୍କର କିଛି ସାଥି କାମରେ ତାଳଚେର ଆସିଥିବା ବେଳେ ରାତିରେ ବାଘୁଆବୋଲ ରେଳ ଫାଟକ ପାଖରେ ଫାଟକ ପଡ଼ିଥିବାରୁ ଗାଡ଼ି ଅଟକାଇ ଥିଲେ। ଏହି ସମୟରେ ୬ ରୁ ୭ ଜଣ ମୁଖାପିନ୍ଧା ଯୁବକ ମାରଣାସ୍ତ୍ର ଦେଖାଇ ତାଙ୍କୁ ଭୟଭୀତ କରିଥିଲେ। ଭୟରେ ଅତୁଲ ଏବଂ ତାଙ୍କ ସାଥୀ ଗାଡ଼ି ଛାଡି ସୁରକ୍ଷା ପାଇଁ କିଛି ଦୂରକୁ ପଳାଇବାରୁ ଲୁଟେରା ମାନେ ଗାଡ଼ିରେ ଥିବା ଟଙ୍କା, ଦୁଇଟି ଲାପଟପ୍, ଚେନ, ମୁଦି ଅନ୍ୟାନ୍ୟ କାଗଜ ପତ୍ର ଥିବା ବ୍ୟାଗ ସହ କାରଟିକୁ ନେଇଯାଇଥିଲେ।
ସେହିପରି ଜଣଙ୍କୁ ହାଣି ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇଥିବା ବେଳେ ରାଉରକେଲାରୁ ଏକ ମିନି ଟ୍ରକରେ ଜିନିଷ ଧରି ତାଳଚେର ଆସିଥିବା ବେଳେ ତାଙ୍କୁ ମାଡ ମାରି ତାଙ୍କ ଠାରୁ ମୋବାଇଲ ଏବଂ ଟଙ୍କା ଛଡ଼ାଇ ନେଇଛନ୍ତି।

ସମସ୍ତେ ବୁଧବାର ସକାଳେ ତାଳଚେର ଥାନାର ଦ୍ୱାରସ୍ଥ ହୋଇ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି।

Share

Leave a Reply