ଅନୁଗୁଳ: ଅନୁଗୁଳ ଓକିଲ ସଂଘ ଆନୁକୂଲ୍ୟରେ ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୬ତମ ଜୟନ୍ତୀ ଓ ଆଇନଜୀବୀ ଦିବସ ସ୍ଥାନୀୟ ସଭାଘରେ ଅନୁଷ୍ଠିତ ହୋଇଛି। ଅନୁଗୁଳ ଓକିଲ ସଂଘର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଓଡ଼ିଶା ହାଇକୋର୍ଟର ନ୍ୟାୟାଧୀଶ ଶଶୀକାନ୍ତ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମଧୁବାବୁ ଆଜିପର୍ଯ୍ୟନ୍ତ ଆଇନଜୀବୀଙ୍କ ମଧ୍ୟରେ ଜୀବିତ ଅଛନ୍ତି ବୋଲି କହିଥିଲେ। ମଧୁବାବୁଙ୍କ ସ୍ୱାଭିମାନ, ସିଦ୍ଧାନ୍ତ, ଓଡ଼ିଆ ଭାଷା ଓ ଓଡ଼ିଆକୁ ଭଲ ପାଇବା ଗୁଣ ଗୁଡିକ ଆମ ଓକିଲ ମାନଙ୍କ ଭିତରେ ଅଛି। ଆଇନଜୀବୀମାନେ ମଧୁବାବୁଙ୍କ ପରି କାର୍ଯ୍ୟ କଲେ ତାଙ୍କ ଜୟନ୍ତୀ ପାଳନ ସାର୍ଥକ ହେବ ବୋଲି ସେ କହିଥିଲେ।
କାର୍ଯ୍ୟକ୍ରମରେ ନାଲକୋନଗର ସରସ୍ବତୀ ବିଦ୍ୟା ମନ୍ଦିରର ଅଧ୍ୟକ୍ଷ ଡ.ଶତ୍ରୁଘନ ବେହେରା ମୁଖ୍ୟ ବକ୍ତା ଯୋଗ ଦେଇ କହିଥିଲେ ଯେ ମଧୁବାବୁ ଓଡିଶା ମାଟିର ଯୋଗ୍ୟତମ ସନ୍ତାନ। ସେ ସ୍ୱତନ୍ତ୍ର ଓଡିଶା ଗଠନର ପ୍ରତିଷ୍ଠାତା, ଓଡ଼ିଆ ଭାଷାର ସୃଷ୍ଟିକର୍ତ୍ତା ଥିଲେ। ନାଗରିକଙ୍କୁ ସୁରକ୍ଷା ଦେବା ହେଉଛି ଆଇନଜୀବୀଙ୍କ କାର୍ଯ୍ୟ ବୋଲି ସେ କହିଥିଲେ।
ସଭା କାର୍ଯ୍ୟ ପୂର୍ବରୁ ଓକିଲ ସଂଘର ଦିବଂଗତ ଆଇନଜୀବୀଙ୍କ ନିମନ୍ତେ ନିରବ ପ୍ରାର୍ଥନା କରାଯାଇଥିଲା। ସଂଘର ସାଧାରଣ ସମ୍ପାଦକ ଧ୍ରୁବ ଚରଣ ସାହୁ ବାର୍ଷିକ ବିବରଣୀ ପାଠ କରିଥିଲେ। ମୁଖ୍ୟ ଅତିଥି ଜଷ୍ଟିସ ମିଶ୍ର ଓକିଲ ସଂଘର ସ୍ମରଣିକା -୨୦୨୪ କୁ ଉନ୍ମୋଚନ କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ମିଶ୍ର ଓକିଲ ସଂଘର ବରିଷ୍ଠ ଆଇନଜୀବୀ ହେମନ୍ତ କୁମାର ସାହୁଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଆଇନଜୀବୀ ସଞ୍ଜୟ କୁମାର ସାହୁ ମଞ୍ଚ ପରିଚାଳନା କରିଥିବା ବେଳେ ଆଇନଜୀବୀ ସରିତା ମିଶ୍ର, ଶ୍ରିୟଙ୍କା ନନ୍ଦ, ଶୁଭସ୍ମିତା ସାହୁ, ଜ୍ୟୋସ୍ନାମୟୀ ସାହୁ, ଉପ ସଭାପତି ଶିବାଶିଷ କର, ସହ ସମ୍ପାଦକ ପ୍ରଦୀପ୍ତ କୁମାର ଭୁତିଆ, ସାଂସ୍କୃତିକ ସମ୍ପାଦକ ବିନୋଦ ବିହାରୀ ପ୍ରଧାନ, କୋଷାଧ୍ୟକ୍ଷ ପ୍ରଦୀପ କୁମାର ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ। ସନ୍ଧ୍ୟାରେ ଅନୁଗୁଳ ଓକିଲ ସଂଘ ପକ୍ଷରୁ ନାଟକ ‘ଆସାମୀ’ ମଞ୍ଚସ୍ଥ ହୋଇଥିଲା।