ପାଳଲହଡ଼ା: ପାଳଲହଡ଼ାବାସୀଙ୍କ ଗମନାଗମନକୁ ସହଜ କରିବା ପାଇଁ ଆଜି ବିଧାୟକ ମୁକେଶ ପାଲ ତିନିଟି ବିଜୁ ସେତୁର ଶିଳାନ୍ୟାସ କରିଛନ୍ତି। ବିଧାୟକ ପାଳଲହଡା ବ୍ଲକ ଆଲୋରି ପଞ୍ଚାୟତ ସାପଝରା ଠାରୁ ତେଲକୋଇ ବ୍ଲକ ସରେଇ ଗ୍ରାମ ପର୍ଯ୍ୟନ୍ତ ସମାକୋଇ ନଦୀ ଉପରେ ୬୭୫,୯୬ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହେବାକୁ ଥିବା ବିଜୁ ସେତୁର ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ସେତୁ ନିର୍ମାଣ ଦ୍ଵାରା ପାଳଲହଡା ବ୍ଲକ ଓ ତେଲକୋଇ ବ୍ଲକ ମଧ୍ୟରେ ଯୋଗାଯୋଗ ସହଜ ହେବ।
ସେହିପରି ପାଳଲହଡା ବ୍ଲକ ସଇଡା ପଞ୍ଚାୟତର ଡାଲୋ ଠାରୁ ସିଗଡ ପଞ୍ଚାୟତ ମଧ୍ୟରେ କଖାରୁଆ ନଦୀ ଉପରେ ୬୦୩,୩୦ ଲକ୍ଷ ଟଙ୍କା ବ୍ୟୟରେ ନିର୍ମାଣ ହେବାକୁ ଥିବା ସୁଉଚ୍ଚ ସେତୁର ବିଧାୟକ ଶିଳାନ୍ୟାସ କରିଥିଲେ।
ଏହା ପରେ ବିଧାୟକ ସଇଡା ପଞ୍ଚାୟତର ଜୋଲୋଣ୍ଡା ଠାରୁ ରୁଗୁଡିହ ମଧ୍ୟରେ ଥିବା କଖାରୁଆ ନାଳ ଉପରେ ୪୮୬.୪୦ ଲକ୍ଷ ଟଙ୍କା ବିନିମୟରେ ଏକ ସେତୁ ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି।
ମୁଖ୍ୟମନ୍ତ୍ରୀଙ୍କ ସହଯୋଗ ଯୋଗୁ ଏହି ସେତୁ ହେଉଥିବାରୁ ବିଧାୟକ ତାଙ୍କୁ ଧନ୍ୟବାଦ ଦେଇଥିଲେ। ଏ ଅବସରରେ ପାଳଲହଡା ପଞ୍ଚାୟତ ସମିତି ଅଧ୍ୟକ୍ଷା ରିନାରାଣୀ ନାଏକ, ପାଳଲହଡ଼ା ଗ୍ରାମ୍ୟ ଉନ୍ନୟନ ବିଭାଜନ ଅଧିକାରୀ ରାଜୁ ଧାଉଁଳିଆ, ଜିଲ୍ଲାପରିଷଦ ସଭ୍ୟ ସମେତ ଅଞ୍ଚଳବାସୀ ସାମିଲ ହୋଇଥିଲେ।