ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ, ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ କରାଗଲା ପୂଜା

You are currently viewing ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ, ପତିଆରଙ୍କୁ ଦେବୀ ରୂପରେ ଷୋଡଶୋପଚାରରେ କରାଗଲା ପୂଜା

ତାଳଚେର: ତାଳଚେରର ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠରେ ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ପାଳିତ ହୋଇଛି। ଦିନରେ ଦେହୁରୀଙ୍କ ଘରୁ ମା’ ହିଙ୍ଗୁଳାଙ୍କ ଚଳନ୍ତି ପ୍ରତିମା ଆଲମକୁ ଏକ ଭବ୍ୟ ଶୋଭାଯାତ୍ରାରେ କୁଟେଇଶୁଣି ମଣ୍ଡପକୁ ଅଣାଯାଇଥିଲା। ସେଠାରେ ମୁଖ୍ୟ ପୂଜକ ହୃଦାନନ୍ଦ ଦେହୁରୀ, କିଶୋର ଚନ୍ଦ୍ର ଦେହୁରୀ ଓ ଟଙ୍କଧର ଦେହୁରୀ ମା’ଙ୍କ ଚଳନ୍ତି ପ୍ରତିମା ଆଲମକୁ ପାରମ୍ପରିକ ରୀତିନୀତି ଅନୁଯାୟୀ ପୂଜା କରିଥିଲେ।

ଏହାପରେ ପରମ୍ପରା ଅନୁଯାୟୀ, ପାଇକମାନେ ପତିଆରଙ୍କୁ ନିମନ୍ତ୍ରଣ କରିବାକୁ ତାଙ୍କ ଘରକୁ ଯାଇଥିଲେ। ସେଠାରେ ପତିଆରଙ୍କୁ ତିନି ଡାକ ଡାକିବାରୁ ସେ ଘରୁ ବାହାରକୁ ଆସି ନିକଟସ୍ଥ ପୁଷ୍କରଣୀରେ ସ୍ନାନ କରି କୁଟେଇଶୁଣି ମଣ୍ଡପକୁ ଯାଇଥିଲେ। ମୁଖ୍ୟ ଦେହୁରୀ ତାଳଚେର ରାଜାଙ୍କ ପ୍ରଦତ୍ତ ନୂତନ ବସ୍ତ୍ର ପ୍ରଦାନ କରି ପତିଆରଙ୍କୁ ସ୍ଵାଗତ କରିଥିଲେ। ନୂତନ ରାଜବସ୍ତ୍ର ପରିଧାନ କରିସାରିଲା ପରେ ପତିଆରଙ୍କୁ ଦେବୀ ରୂପରେ

ଷୋଡଶୋପଚାରରେ ବିଧି ଅନୁଯାୟୀ ପୂଜା କରାଯାଇଥିଲା। ମୁଖ୍ୟ ପୂଜକ ଗୁଡ, ମହୁ, ଝୁଣା, ଚନ୍ଦନ, ଫୁଲ, ଚନ୍ଦନ, ଅକ୍ଷତ ଆଦି ଦେଇ ପତିଆରଙ୍କୁ ପୂଜା କରିଥିଲେ। ଏହି ପୂଜାକୁ ମା ହିଙ୍ଗୁଳାଙ୍କ ପ୍ରସିଦ୍ଧ ଜନ୍ତାଳ ପୂଜା କୁହାଯାଏ।

ପତିଆରଙ୍କ ଠାରେ ଦେବୀ ଆବିଷ୍ଟ ହୋଇ ମା’ ହିଙ୍ଗୁଳାଙ୍କ ଆବିର୍ଭାବର ଦିଗ ସମ୍ବନ୍ଧରେ ସୂଚନା ଦେହୁରୀଙ୍କୁ ଦେଇଥାନ୍ତି । ପୂର୍ବ ସୂଚନାକୁ ଆଧାର କରି ଦେହୁରୀ ଅର୍ଦ୍ଧରାତ୍ରରେ ଏକା ଯାଇ ମା’ଙ୍କ ଆବିର୍ଭାବ ସ୍ଥଳୀ ବା ଉଭା ସ୍ଥଳୀକୁ ଚିହ୍ନଟ କରିଥାନ୍ତି । ଏହି ଉତ୍ସବ ଦେଖିବା ପାଇଁ ଆଖପାଖ ଅଂଚଳର ବହୁ ଶ୍ରଦ୍ଧାଳୁ ଉପସ୍ଥିତ ଥିଲେ।

ମା ହିଙ୍ଗୁଳା ଟ୍ରଷ୍ଟ ବୋର୍ଡର ସମସ୍ତ ସଦସ୍ୟମାନଙ୍କ ସମେତ ହିଙ୍ଗୁଳାଙ୍କ ସେବାୟତ ସହଯୋଗ କରିଥିଲେ। ସୂଚନାଯୋଗ୍ୟ ଯେ ମା’ ହିଙ୍ଗୁଳାଙ୍କ ପ୍ରସିଦ୍ଧ ବାର୍ଷିକ ଯାତ୍ରା ଓ ୧୯ତମ ଲୋକ ମହୋତ୍ସବ ଚଳିତବର୍ଷ ଏପ୍ରିଲ ୪ ରୁ ଆରମ୍ଭ ହୋଇ ୧୨ ତାରିଖ ଯାଏଁ ଚାଲିବ।

Share

Leave a Reply