ଅନୁଗୁଳ: ଅନୁଗୁଳ ଜିଲ୍ଲା ନିଶା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଜଙ୍ଗଲ ଜାମୁଣ୍ଡା ଟ୍ରକ ପାର୍କିଂ ଅଞ୍ଚଳରେ ପୋଲିସ ଏକ ବଡ଼ ଧରଣର ଚଢ଼ାଉ କରି ୧୫ କୁଇଣ୍ଟାଲରୁ ଊର୍ଦ୍ଧ୍ୱ ଗଞ୍ଜେଇ ଜବତ କରିବା ସହ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ରାହୁଲ ଜୈନଙ୍କ ନିର୍ଦ୍ଦେଶକ୍ରମେ ନିଶା ଶିଳ୍ପାଞ୍ଚଳ ଥାନା ପୋଲିସ ଓ ସ୍ପେସିଆଲ ସ୍କ୍ୱାଡ ମିଳିତ ଭାବେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲେ। ଏହି ଘଟଣାରେ ଜରପଡା ଥାନା ଦୁର୍ଗାପୁର ଗ୍ରାମର ଟ୍ରକ ଚାଳକ ଟିକନ ବେହେରାଙ୍କୁ ଗିରଫ କରାଯାଇଛି। ସୂଚନା ଅନୁଯାୟୀ, ଫୁଲବାଣୀ ଅଞ୍ଚଳରୁ ଏହି ଗଞ୍ଜେଇ ଆସି ଏଠାରୁ ଝାଡ଼ଖଣ୍ଡ ସମେତ ବିଭିନ୍ନ ରାଜ୍ୟକୁ ଚାଲାଣ ହେବାର ଯୋଜନା ଥିଲା। ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ (OD 15 C 3011) ନମ୍ବର ବିଶିଷ୍ଟ ଟ୍ରକକୁ ଯାଞ୍ଚ କରାଯିବା ପରେ ସେଥିରୁ ୬୩ଟି ବସ୍ତାରେ ଥିବା ପ୍ରାୟ ୧୫ କୁଇଣ୍ଟାଲ ୭୩ କେଜି ୨୦୦ ଗ୍ରାମ ଗଞ୍ଜେଇ ଉଦ୍ଧାର କରାଯାଇଥିଲା। ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଇଛି। ପୋଲିସ ଏନେଇ NDPS ଆକ୍ଟ ଅନୁଯାୟୀ କେସ୍ ନଂ ୫୧/୨୫ ରୁଜୁ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିବା ସହ ଏହି ବେଆଇନ କାରବାର ପଛରେ ଥିବା ଅନ୍ୟ ମୁଖ୍ୟ ସୂତ୍ରଧରମାନଙ୍କୁ ଧରିବା ପାଇଁ ତଦନ୍ତ ଜାରି ରଖିଛି।
ଅନୁଗୁଳରେ ଦେଢ଼ କୋଟିର ଗଞ୍ଜେଇ ଜବତ, ଜଣେ ଗିରଫ
- Post published:February 19, 2026
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
Tags: Angul


