ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ କ୍ଷତିଗ୍ରସ୍ତଙ୍କ ବିଭିନ୍ନ ସମସ୍ୟା ନେଇ ମଙ୍ଗଳବାର ଜିଲ୍ଲା କାର୍ଯ୍ୟାଳୟଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେବା ଓ ପାରିପାର୍ଶ୍ବିକ ଉନ୍ନୟନ ପାଣ୍ଠିରୁ ଅଞ୍ଚଳରେ ବିକାଶମୂଳକ କାମ ସମ୍ପର୍କରେ ନାଲକୋ କର୍ତ୍ତୃପକ୍ଷଙ୍କ କାଳ କ୍ଷେପଣ ନୀତି ନେଇ କ୍ଷତିଗ୍ରସ୍ତ ମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ନାଲକୋ କର୍ତ୍ତୃପକ୍ଷଙ୍କ ନୀତିକୁ ବିରୋଧ କରି ଢେଙ୍କାନାଳ ସାଂସଦ ମହେଶ ସାହୁ ବୈଠକକରି ଅସନ୍ତୋଷ ପ୍ରକାଶ କରିଥିଲେ। ସାଂସଦଙ୍କ ନେତୃତ୍ବରେ ନାଲକୋ ବିରୋଧରେ ଅର୍ଥନୈତିକ ଅବରୋଧ କରାଯାଇଥିଲା। ତେଣୁ ଏ ନେଇ ଆଜିର ଏହି ବୈଠକ ହୋଇଥିଲା।
ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସାଂସଦ ମହେଶ ସାହୁ, ନାଲକୋ ସିଏମଡି ଶ୍ରୀଧର ପାତ୍ର, ବରିଷ୍ଠ ପୁଲିସ ଅଧିକାରୀ, ୧୯୮ ଏଲଏପି କ୍ଷତିଗ୍ରସ୍ତ ପ୍ରଜା ସଂଘର ସଭାପତି ଦିବ୍ୟ ରଞ୍ଜନ ଦାସ, ସାଧାରଣ ସମ୍ପାଦକ ଶଶାଙ୍କ ଶେଖର ସାମଲ, ସାଂସଦଙ୍କ ପ୍ରତିନିଧି ଦିନେଶ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।
କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ନେଇ ସାଂସଦ ତଥ୍ୟ ମାଗିବାରୁ ଆସନ୍ତା ସୋମବାର ସୁଦ୍ଧା ଏହା ଦେବାକୁ ନାଲକୋ କର୍ତ୍ତୃପକ୍ଷ ପ୍ରତିଶ୍ରୁତି ଦେଇଥିଲେ। ତେବେ ସବୁ କ୍ଷତିଗ୍ରସ୍ତଙ୍କୁ ନିଯୁକ୍ତି ଦେବାକୁ ସାଂସଦ ଦାବି କରିଥିଲେ।
ନାଲକୋ ପାରିପାର୍ଶ୍ବିକ ପାଣ୍ଠିରୁ ଉନ୍ନୟନ କାମ ନେଇ ଜନପ୍ରତିନିଧି ଓ ପ୍ରଭାବିତ ଲୋକେ ଅସନ୍ତୋଷ ପ୍ରକାଶ କରିଥିଲେ। କୋଭିଡ୍ ପାଇଁ ଏହି ପାଣ୍ଠି ସରକାରଙ୍କ ପରାମର୍ଶ କ୍ରମେ ଖର୍ଚ୍ଚ ହୋଇଥିବା କର୍ତ୍ତୃପକ୍ଷ ଜଣାଇଥିଲେ। ନାଲକୋ କର୍ତ୍ତୃପକ୍ଷ ତଥ୍ୟ ଜିଲ୍ଲା ପ୍ରଶାସନକୁ ଦେବାପରେ ପୁଣି ଏକ ବୈଠକ କରାଯିବ। ଏଥିରେ ନାଲକୋ ତଥ୍ୟର ତର୍ଜମା କରାଯାଇ ଭବିଷ୍ୟତ କାର୍ଯ୍ୟପନ୍ଥା ସ୍ଥିର କରାଯିବ ବୋଲି ସାଂସଦ ମହେଶ ସାହୁ ସୂଚନା ଦେଇଛନ୍ତି।